ଭୁବନେଶ୍ୱର,୧୭/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁବାବୁ ଜଣେ କିମ୍ବଦନ୍ତୀ ପୁରୁଷ । ସ୍ୱତନ୍ତ୍ରତା ଓ ସଫଳତାପୂର୍ଣ୍ଣ ବୈପ୍ଳବିକ ଜୀବନଶୈଳୀ ଦ୍ୱାରା ଉତ୍କଳ ଜନନୀର ‘ବୀରପ୍ରସବିନୀ’ ନାମକୁ ସେ ଯଥାର୍ଥରେ ପ୍ରତିପାଦିତ କରିପାରିଛନ୍ତି । ଜାତିର ମୁକ୍ତିଦାତା ସାଜି ଧରାପୃଷ୍ଠରେ ଅବତରଣ କରିଥିବା ଏହି ଯଶସ୍ୱୀ ଯୋଗଜନ୍ମା । ତାଙ୍କ ଜୀବଦ୍ଦଶାରେ ସେବା, ତ୍ୟାଗ, ପରୋପକାର ଓ ନିଷ୍ଠା ପରି ମାନବୀୟ ଗୁଣଗୁଡ଼ିକ ସେ ଆପଣାର କରିପାରିଥିଲେ । ଅପର ପକ୍ଷରେ ତାଙ୍କ ଭିତରେ ଦୁଃସାହସିକତା ତଥା ନିର୍ଭୀକତା ପରି ତେଜୋଦୀପ୍ତ ଗୁଣାବଳୀର ସମାହାର ସହଜାତ ଥିଲା । ଏହି ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସିକ ବୈମାନିକ, ଲୋକପି୍ରୟ ରାଜନୀତିଜ୍ଞ ଓ ସମାଜସେବକ ଭାବରେ ନିଜ ଭୂମିକାର ସଫଳ ସଂପାଦନ କରିବା ସହିତ ସୁପ୍ତ ଓଡ଼ିଆ ମନରେ ଜାତିପ୍ରେମର ବହ୍ନି ପ୍ରଜ୍ୱଳନ କରିବାରେ ସକ୍ଷମ ହୋଇପାରିଥିଲେ । ନିଜ ସମୟର ଓଡ଼ିଶାକୁ ଅତୀତର କଳିଙ୍ଗ ଓ ନିଜକୁ ଖାରବେଳଙ୍କ ଦାୟାଦ ରୂପେ ପରିଚୟ ପ୍ରଦାନ କରି ଏକ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ସେ ସର୍ବଦା ଚେଷ୍ଟାରତ ଥିଲେ । ବାସ୍ତବରେ ଓଡ଼ିଆ ଜାତିର ଦୁଃଖଦୁର୍ଦ୍ଦଶା ସେ ସହ୍ୟ କରିପାରୁ ନଥିଲେ । ମାଟିର ମୂର୍ତ୍ତିକାର ଓ ଝଡ଼ର ଇଗଲ ଏହି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ତଥା ଆଦର୍ଶ ପୁରୁଷଙ୍କ ଜୀବନୀ ଏକ ଇତିହାସ ସଦୃଶ ।

ଆଜି ବିଧାନସଭା ପରିସରରେ ପ୍ରବାଦପୁରୁଷ ମହାନ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ଶ୍ରୀ ପି୍ରୟଦର୍ଶୀ ମିଶ୍ର, ଉତ୍କଳ ସମ୍ମିଳନୀର ସଦସ୍ୟବୃନ୍ଦ, ପୂଜ୍ୟପୂଜା ସମିତିର ବରିଷ୍ଠ କର୍ମକର୍ତ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଜୁବାବୁଙ୍କ ଜୀବନୀ ଆଧାରିତ ସଂଗୀତ ପରିବେଷିତ ହୋଇଥିଲା । ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
-0-
ବିଭୂତି ନାୟକ ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ
