ଲୋକ ଭବନରେ ହିମାଚଳ ପ୍ରଦେଶ ଗଠନ ଦିବସ ଏବଂ ଓଡ଼ିଆ ନବବର୍ଷ ସମେତ ବିଭିନ୍ନ ରାଜ୍ୟର ପର୍ବ  ପାଳିତ

ଅନ୍ୟ ରାଜ୍ୟର ପର୍ବ ପାଳନ ଜାତୀୟ ଏକତାକୁ ମଜବୁତ କରେ: ରାଜ୍ୟପାଳ

ଭୁବନେଶ୍ୱର,୧୪/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତର ବିବିଧତା ହେଉଛି ଏହାର ଶକ୍ତିର ଉତ୍ସ। ଗୋଟିଏ ରାଜ୍ୟରେ ଅନ୍ୟ ରାଜ୍ୟର ପର୍ବ ପାଳନ ଜାତୀୟ ଏକତାକୁ ମଜବୁତ କରେ ଏବଂ ଭାରତର ବିବିଧତାର ପ୍ରକୃତ ସ୍ୱରୂପ ପ୍ରତିଫଳିତ ହୁଏ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ମଙ୍ଗଳବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ହିମାଚଳ ପ୍ରଦେଶ ଗଠନ ଦିବସ ଏବଂ ଓଡ଼ିଆ ନବବର୍ଷ (ପଣା ସଂକ୍ରାନ୍ତି) ସହିତ ବିହୁ (ଆସାମ), ବିଶୁ (କେରଳ), ପୁଥଣ୍ଡୁ (ତାମିଳନାଡ଼ୁ), ପୋଇଲା ବୈଶାଖ (ପଶ୍ଚିମବଙ୍ଗ) ଏବଂ ବୈଶାଖୀ (ପଞ୍ଜାବ) ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି ।

ଏହି ସମାରୋହରେ  ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜ୍ୟପାଳ ଉଦବୋଧନ ଦେଇ କହିଥିଲେ ଯେ, ଯେତେବେଳେ ଆମେ ଅନ୍ୟ ରାଜ୍ୟର ପର୍ବ ପାଳନ କରୁ, ସେତେବେଳେ ଆମେ ଏକ ଜାତି ଭାବରେ ଆମକୁ ଏକତ୍ରିତ କରୁଥିବା ବନ୍ଧନକୁ ମଜବୁତ କରୁ। ଏହି ସହଭାଗିତାର ଭାବନା ଭାରତର ସାରାଂଶକୁ ପ୍ରତିଫଳିତ କରେ, ଯେଉଁଠାରେ ବିବିଧତା ଆମର ସାମୂହିକ ପରିଚୟକୁ ଶକ୍ତିଶାଳୀ କରିବା ସହ ଆମକୁ ଏକତ୍ର ହୋଇ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ।

ଓଡ଼ିଶା, ହିମାଚଳ ପ୍ରଦେଶ, ଆସାମ, କେରଳ, ତାମିଳନାଡ଼ୁ, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ଜନସାଧାରଣଙ୍କୁ ସେମାନଙ୍କ ଆଞ୍ଚଳିକ ପର୍ବ-ପର୍ବାଣି ପାଳନ ଅବସରରେ ରାଜ୍ୟପାଳ ଶୁଭେଚ୍ଛା ଜଣାଇଥିଲେ।

ପଣା ସଂକ୍ରାନ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଏହା ପାରମ୍ପରିକ ଓଡ଼ିଆ ନବବର୍ଷର ଆରମ୍ଭ । ଏହି ପର୍ବ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରେ। ପଣା ପ୍ରସ୍ତୁତ କରି ବଣ୍ଟନ କରିବାର ପରମ୍ପରା କରୁଣା, ଉଦାରତା ଏବଂ ଏକତାର ପ୍ରତୀକ ଯାହା ଆଚାର-ବିଚାର,  ଦାନଧର୍ମ, ସେବା ଏବଂ ସହାନୁଭୂତିର ମୂଲ୍ୟବୋଧକୁ ପ୍ରତିଫଳିତ କରେ।

ଜଗନ୍ନାଥ ସଂସ୍କୃତି ପ୍ରସଙ୍ଗରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଏହା ସମାବେଶୀ, ସମାନତା ଏବଂ ଭକ୍ତିର ପ୍ରତିନିଧିତ୍ୱ କରି ଲୋକଙ୍କୁ ଏକତ୍ରିତ କରେ ଏବଂ ବିଶ୍ୱଭ୍ରାତୃତ୍ଵକୁ ପ୍ରୋତ୍ସାହିତ କରେ।

ହିମାଚଳ ପ୍ରଦେଶ ଗଠନ ଦିବସ ପ୍ରସଙ୍ଗରେ ରାଜ୍ୟପାଳ କହିଥିଲେ ଯେ, ଏହି ରାଜ୍ୟ ଏକତା ଏବଂ ସ୍ଥିରତାର ପ୍ରତୀକ ଅଟେ ଏବଂ ଏହି ରାଜ୍ୟରେ କଳା ଓ ସଂସ୍କୃତିର ସମୃଦ୍ଧ ପରମ୍ପରା ରହିଛି। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ପାଳନ ହେଉଥିବା ଏହି ଉତ୍ସବକୁ ପ୍ରଶଂସା କରି, ରାଜ୍ୟପାଳ କହିଥିଲେ ଯେ ଏହା ରାଜ୍ୟ ରାଜ୍ୟ ମଧ୍ୟରେ ଅଧିକ ଦୃଢ଼ ବନ୍ଧନ ଏବଂ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରେ।

ବିହୁ, ବିଶୁ, ପୁଥାଣ୍ଡୁ, ପୋଇଲା ବୈଶାଖ ଏବଂ ବୈଶାଖୀ ଭଳି ପର୍ବଗୁଡ଼ିକ ବିଭିନ୍ନ ଅଞ୍ଚଳରେ ପାଳିତ ହେଉଥିଲେ ମଧ୍ୟ ସେଥିରେ ଆଶା, କୃତଜ୍ଞତା ଏବଂ ନବୀକରଣର ଏକ ସାଧାରଣ ବାର୍ତ୍ତା ରହିଛି ଯାହା ଜାତୀୟ ଏକତାର ଭାବନା‌କୁ ଦୃଢ କରେ ବୋଲି ରାଜ୍ୟପାଳ କହିଥିଲେ।

ଅବସରପ୍ରାପ୍ତ ପ୍ରଶାସକ ତଥା ପ୍ରସିଦ୍ଧ ସାହିତ୍ୟିକ ଓ ଗୀତିକାର ଶ୍ରୀ ଦେବଦାସ ଛୋଟରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ରାଜ୍ୟପାଳଙ୍କ କମିଶନର-ତଥା‌-ଶାସନ ସଚିବ ଡ଼. ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ରାଜ୍ୟପାଳ ଓ ରାଜ୍ୟର ପ୍ରଥମ ମହିଳା ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼. ବି. ଆର୍. ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ଅବସରରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଡ଼. ଆମ୍ବେଦକରଙ୍କୁ ସମ୍ବିଧାନ ପ୍ରଣୟନର ମୁଖ୍ୟ ସ୍ଥପତି ଭାବରେ ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଡ଼. ଆମ୍ବେଦକର ଥିଲେ ଜଣେ ଦୂର ଦ୍ରଷ୍ଟା ଯିଏ ନ୍ୟାୟ, ସମାନତା ଏବଂ ମାନବୀୟ ମର୍ଯ୍ୟାଦାର ଆଦର୍ଶ ପାଇଁ ଜୀବନ ଉତ୍ସର୍ଗ କରିଥିଲେ। ଡ଼. ଆମ୍ବେଦକରଙ୍କ ଆଦର୍ଶ ଏକ ସମାବେଶୀ ଏବଂ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ ଦେଶକୁ ପଥ ପ୍ରଦର୍ଶନ କରୁଛି ବୋଲି ରାଜ୍ୟପାଳ କହିଥିଲେ।

-0-

ଐଶ୍ୱର୍ଯ୍ୟା ସାମନ୍ତ,ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *