ବାଣପୁର, ୧୧/୦୪/୨୦୨୬ (ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ର ଆଉ ନାହାନ୍ତି । ତାଙ୍କ ବିୟୋଗରେ ବାଣପୁର ଅଞ୍ଚଳ ସ୍ତବ୍ଧ । ବାଣପୁର – ବିଶିଷ୍ଟ ଯଜ୍ଞବିତ,ବରିଷ୍ଠ ପତ୍ରକାର, ବାଣପୁର ମାଟିର ସ୍ୱାଭିମାନୀ ମଣିଷ, ସମଗ୍ର ଚିଲିକାର ଜନମାନସର ପରିଚିତ ପ୍ରିୟ ନୃସିଂହ ଭାଇନା ଆଉ ନାହାନ୍ତି। ଗତକାଲି ରାତି ୮ଘଟିକାରେ କଲିକତା ମହାନଗରରେ ଥିବା କନିଷ୍ଠ ପୁତ୍ର ବୈଜ୍ଞାନିକ ପଦ୍ମଜା ପ୍ରସାଦ ମିଶ୍ରଙ୍କ ବାସଭବନରେ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଛିଦିନ ପୂର୍ବରୁ ସେ କିଡ଼ିନି ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଦୋଳପୂର୍ଣ୍ଣମୀରେ ମାଭଗବତୀଙ୍କ ଚାଚେରୀ ଭୋଗ ଖିଆରେ ଯୋଗ ଦେବାପାଇଁ ସେ ଜନ୍ମମାଟି ଅଚ୍ୟୁତ ରାଜପୁର ବାସଗୃହ କୁ ଆସି ବିଶ୍ରାମ ନେଉଥିଲେ ।
ଗତ ୮ ତାରିଖରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁତ୍ର ପଦ୍ମଜା କଲିକତା ନେଇ ପ୍ରସିଦ୍ଧ ଚ଼ାରନକ୍ ହସପିଟାଲ୍ ରେ ଚିକିତ୍ସିତ କରାଉଥିବା ଅବସ୍ଥାରେ ଗତକାଲି ୧୦ ତାରିଖ ରାତ୍ର ୮ ଘଟିକା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ।ଶେଷରେ ହୁଗୁଳି ନଦୀ କୂଳର ଶୁଶାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ବୈଜ୍ଞାନିକ ଶାରଦା ପ୍ରସାଦ ମିଶ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସୁଶିକ୍ଷକ ଜଗନ୍ନାଥ ମିଶ୍ର ଓ ଶାରଦା ଦେବୀଙ୍କ ଜ୍ୟେଷ୍ଠପୁତ୍ର ନୃସିଂହ ଭାଇନା ଗୋଦାବରୀଶ ବିଦ୍ୟାପୀଠରୁ ଶିକ୍ଷା ସମାପ୍ତ କରି ପୁରି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କରେ କିଛି କାଳ କିରାନୀ ଭାବରେ ଚାକିରୀ କରି ସେଠାରୁ ଗାଁକୁ ଫେରି କଂଗ୍ରେସ ଦଳରେ ଯୋଗଦାନ କରି ଜଣେ କର୍ମୀ ହିସାବରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ ।
ପରେ ବାଣପୁର ଅଞ୍ଚଳରେ ସାମ୍ବାଦିକତାକୁ ଆଦରି ନେଇ ପ୍ରତ୍ୟେକ ସାମାଜିକ , ଆଧ୍ୟାତ୍ମିକ,ସାହିତ୍ୟ ସଂସ୍କୃତି ,କଳା, ସମ୍ବାଦପତ୍ର , ଶିକ୍ଷା ଅନୁଷ୍ଠାନମାନଙ୍କରେ ନିଜକୁ ସାମିଲ୍ କରାଇ ବାଣପୁର ମାଟିର ସାମଗ୍ରିକ ବିକାଶରେ ନିସ୍ବାର୍ଥପର ଭାବରେ ନିଜକୁ ନିୟୋଜିତ କରି ସମସ୍ତଙ୍କ ପ୍ରିୟ ନୃସିଂହଭାଇନା ଭାବରେ ପରିଚିତ ହୋଇପାରିଥିଲେ । ବାଣପୁର ମାଟି ମା ମଣିଷକୁ ଭଲପାଉଥିବା ଏଭଳି ଜଣେ ପରିଚିତ ମଣିଷଙ୍କ ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁ ଜନିତ ଖବର ସମଗ୍ର ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ସାନଭାଇ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଜ୍ୟେଷ୍ଠପୁତ୍ର, ପୁତ୍ରବଧୁ , ଏକ ମାତ୍ର କନ୍ୟା ସଂଗୀତା ଦାଶ , ନାତି ନାତୁଣୀ ପରିବାରବର୍ଗ ଉପସ୍ଥିତ ଥିଲେ । ପରିବାରବର୍ଗ ତାଙ୍କ ଅସ୍ତି କଳସ ନେଇ ଗାଁକୁ ଫେରିବା ପରେ ତାଙ୍କ ଅନ୍ତେଷ୍ଠି କାର୍ଯ୍ୟ ଗାଁରେ ଅନୁଷ୍ଠିତ ହେବ ବୋଲି ସାନଭାଇ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ଠାରୁ ପ୍ରକାଶ ।
