ଫେଡେରସନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିର ମହିଳା ଶାଖାର ଭୁବନେଶ୍ବର ଚାପ୍ଟରର ନୂଆ ଅଧ୍ୟକ୍ଷା ହେଲେ ବିୟତପ୍ରଜ୍ଞା ତ୍ରିପାଠୀ

ଭୁବନେଶ୍ୱର,୧୧/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱରର ହୋଟେଲ୍ ଜିଞ୍ଜର୍ ଠାରେ ଏଫ୍‌ଆଇସିସିଆଇ ଏଫ୍‌ଏଲଓ (FICCI FLO) ଭୁବନେଶ୍ୱର ଚାପ୍ଟରର ଚେଞ୍ଜ୍ ଅଫ୍ ଗାର୍ଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ୨୦୨୬–୨୭ ବର୍ଷ ପାଇଁ ଶ୍ରୀମତୀ ବିୟତପ୍ରଜ୍ଞା ତ୍ରିପାଠୀଙ୍କୁ ନୂତନ ଅଧ୍ୟକ୍ଷା ଭାବେ ସ୍ୱାଗତ କରାଯାଇଛି। ଦିଲ୍ଲୀର ଜାତୀୟ ମଞ୍ଚରେ ପୂର୍ବରୁ ଆୟୋଜିତ ଔପଚାରିକ ‘ଚେଞ୍ଜ୍ ଅଫ୍ ଗାର୍ଡ’ ଅବସରରେ ଶ୍ରୀମତୀ ତ୍ରିପାଠୀଙ୍କୁ ଏହି ନୂତନ ଦାୟିତ୍ଵ ଦିଆଯାଇଥିବା ବେଳେ ଆଜି ଭୁବନେଶ୍ୱରଠାରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷା ଓ ସଦସ୍ୟମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଛନ୍ତି l

ଏହି ଅବସରରେ ୨୦୨୫–୨୬ ବର୍ଷର ପୂର୍ବତନ ଅଧ୍ୟକ୍ଷା ଡ. ପ୍ରଜ୍ଞା ପାରମିତା ମିଶ୍ରଙ୍କ ଠାରୁ ନୂତନ ଅଧ୍ୟକ୍ଷା ଶ୍ରୀମତୀ ବିୟତପ୍ରଜ୍ଞା ତ୍ରିପାଠୀଙ୍କ ପାଖକୁ ଦାୟିତ୍ୱ ହସ୍ତାନ୍ତର ହୋଇଥିଲା। ଏଥିସହିତ ଅନୁଷ୍ଠାନର ନୂତନ ସଦସ୍ୟମାନଙ୍କ ପରିଚୟ ମଧ୍ୟ ଦିଆଯାଇଥିଲା l ସଭାକୁ ସମ୍ବୋଧିତ କରି ଶ୍ରୀମତୀ ବିୟତପ୍ରଜ୍ଞା ତ୍ରିପାଠୀ ଆସନ୍ତା ବର୍ଷ ପାଇଁ ନିଜ ଦୃଷ୍ଟିକୋଣ ଉପସ୍ଥାପନ କରି ସମାବେଶୀ ବିକାଶ, ନାରୀ ସଶକ୍ତିକରଣ ଓ ସହଯୋଗମୂଳକ ନେତୃତ୍ୱ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ l ସେ ଉଦ୍ୟମିତା, ମେଣ୍ଟରଶିପ୍ ଓ ବିଭିନ୍ନ କ୍ଷେତ୍ରରେ ଉପଯୁକ୍ତ ସହଯୋଗ ମାଧ୍ୟମରେ ଚାପ୍ଟରକୁ ଆହୁରି ସୁଦୃଢ଼ କରିବା ପ୍ରତି ନିଜ ଅଙ୍ଗୀକାର ବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ଏଫ୍‌ଆଇସିସିଆଇ ଏଫ୍‌ଏଲଓ ଭୁବନେଶ୍ୱର ଚାପ୍ଟର ନାରୀ ସଶକ୍ତିକରଣ, ନେତୃତ୍ୱ ଉନ୍ନୟନ, ଉଦ୍ୟମିତା ଓ ସାମାଜିକ ସମୃଦ୍ଧିରେ ଓଡ଼ିଶାରେ ଏକ ପ୍ରମୁଖ ଭୂମିକା ନିଭାଇ ଆସୁଛି। ଏହି ଅବସରରେ ନୂଆ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ଯୋଗଦାନ ଚାପ୍ଟରର କାର୍ଯ୍ୟଧାରାକୁ ଅଧିକ ସମୃଦ୍ଧ କରିବ ବୋଲି ସଭିଏଁ ଆଶାପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *