କେନ୍ଦ୍ରାପଡ଼ା,୦୪/୦୪/୨୦୨୬(ଓଡ଼ିଶା ସମାଚାର)-ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଥାନାରେ କାର୍ଯ୍ୟରତ ପୁଲିସ ବାବୁମାନେ ଅପରାଧ ନିୟନ୍ତ୍ରଣ କରିବା ପରିବର୍ତେ ରାଜନୀତିରେ ମୁଣ୍ଡ ଖେଳାଉଛନ୍ତି । ବିଜେଡିର ଜନ ପ୍ରତିନିଧି ଓ ତୁଙ୍ଗ ନେତାମାନଙ୍କ ବିରୁଦ୍ଧରେ ମିଛ ମାମଲା ରୁଜୁକରି ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ବିଜେପି ନେତାଙ୍କ କଥାରେ ପୁଲିସ ବାବୁମାନେ ପରିଚାଳିତ ହେଉଛନ୍ତି । ନିକଟରେ ମହାକାଳପଡା ବ୍ଲକ ର ରାଜଗଡ ପଂଚାୟତର ସରପଂଚଙ୍କୁ ଦୁର୍ନୀତି କରିବା ପାଇଁ କେତେକ ବିଜେପି ନେତା ବାଧ୍ୟ କଲେ । କିନ୍ତୁ ସେ ଏଥିରେ ରାଜି ନହେବାରୁ ତାଙ୍କ ବାସଭବନକୁ ଯାଇ ଧମକଚମକ ଦିଆଗଲା । ମହିଳା ସରପଂଚ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଶୁଣାଗଲା ନାହିଁ । ଓଲଟା ତାଙ୍କ ସ୍ୱାମୀ ଅଶୋକ ମହାପାତ୍ରଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଗଲା । ଅଶୋକଙ୍କ ଘର ଚାରିପଟେ ପୁଲିସ ଚକ୍କର କାଟିଲା । ଇତିମଧ୍ୟରେ ଅଶୋକଙ୍କ ପିତାଙ୍କ ମୃତୁ୍ୟ ଘଟିଲା ।
ଅଶୋକ ପିତାଙ୍କ ସୁଧକ୍ରୀୟାରେ ଯୋଗଦେଇ ପାରିଲେ ନାହିଁ । କାରଣ ପୁଲିସ ତାଙ୍କୁ ଗୋଡାଇଲା । ପୁଲିସ ତାଙ୍କ ମୋବାଇଲ ନମ୍ବର ଓ ଲୋକେସନ ଟ୍ରାକ୍ କରି ଗୋଡାଇଲା । ଏଭଳି ଅନେକ ଘଟଣା ମାର୍ଶାଘାଇ ଓ ମହାକାଳପଡା ଥାନା ଅଂଚଳରେ ଘଟୁଛି । ଲୋକମାନେ ନିର୍ଯ୍ୟାତିତ ହୋଇ ଥାନାକୁ ଗଲେ ସେମାନଙ୍କ ଅଭିଯୋଗ ପୁଲିସ ଶୁଣିବା ବଦଳରେ ସେମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ଗିରଫ କରିବାକୁ ଗୋଡାଉଛି । ଏଭଳି ଘଟଣାକୁ ନେଇ ସମଗ୍ର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ମାର୍ଶାଘାଇ ଓ ମହାକାଳପଡା ବ୍ଲକରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ଅଭିଯୋଗ ହୋଇଛି । ବିଜେଡି ସମର୍ଥିତ ସାଧାରଣ ଲୋକମାନଙ୍କୁ ଆକ୍ରୋଶ ରଖି ପୁଲିସ ନିର୍ଯ୍ୟାତନା ଦେବା ଘଟଣାକୁ ବନ୍ଦ କରାନଗଲେ ଆଗାମୀ ଦିନରେ ବିଜେଡି ଓ ମହାକାଳପଡା, ମାର୍ଶାଘାଇ ଅଂଚଳର ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପୁଲିସ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।
ଏସପିଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜିଲା ବିଜେଡି ସଭାପତି ଶିବପ୍ରସାଦ ଭଳ, ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ), ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ମହାକାଳପଡା ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଳା, ପୂର୍ବତନ ସରପଂଚ ନିମାଇଁ ଚରଣ ସ୍ୱାଇଁ, ପୂର୍ବତନ ଜିଲା ପରିଷଦ ସଭ୍ୟା କବିତା ମଲ୍ଲିକଙ୍କ ସମେତ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନର ଜିଲା ପରିଷଦ ସଭ୍ୟ,ସଭ୍ୟା, ପୂର୍ବତନ ସରପଂଚ, ଏକଶହରୁ ଉଦ୍ଧ୍ୱର୍ ବିଜେଡି କର୍ମୀ, ରାଜଗଡ ପଂଚାୟତର ୧୪ରୁ ଉଦ୍ଧ୍ୱର୍ ୱାର୍ଡସଭ୍ୟ,ସଭ୍ୟା ଉପସ୍ଥିତ ଥିଲେ ।
