“ଓଡ଼ିଶାରେ ଔପଚାରିକ ନିଯୁକ୍ତିରେ ମହିଳାଙ୍କ ଅଂଶଗ୍ରହଣ ସୁଯୋଗ” ଶୀର୍ଷକ ପରାମର୍ଶ ଶିବିର

ଭୁବନେଶ୍ୱର,୦୯/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ନୂଆଦିଲ୍ଲୀର ଉଦୟୀତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ ଅବସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ “ଓଡ଼ିଶାରେ ଔପଚାରିକ ନିଯୁକ୍ତିରେ ମହିଳାଙ୍କ ଅଂଶଗ୍ରହଣ ସୁଯୋଗ” ଶୀର୍ଷକ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୀତି ନିର୍ମାତା, ଶିଳ୍ପ ନେତା, ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ବିଶେଷଜ୍ଞମାନେ ଯୋଗଦେଇ ନିୟମିତ ଏବଂ ଦ୍ରୁତ ବୃଦ୍ଧି ପାଉଥିବା କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତି ବଢ଼ାଇବା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।  ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ଓଡ଼ିଶାର ମହିଳା ଶ୍ରମିକ ବଳ ଅଂଶଗ୍ରହଣ ହାର (FLFPR) ୪୮.୭ ପ୍ରତିଶତ ରହିଛି, ଯାହା କି ରାଷ୍ଟ୍ରୀୟ ହାର  ୪୦.୩ ପ୍ରତିଶତ ଠାରୁ ଅଧିକ।  ସେହିପରି ରାଷ୍ଟ୍ରୀୟ ହାର ୧୫ ପ୍ରତିଶତ ତୁଳନାରେ, ଓଡ଼ିଶାର ୧୭ପ୍ରତିଶତ ମହିଳା ଶିଳ୍ପ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। ମନ୍ତ୍ରୀ କହିଥିଲେ ଯେ, ଯଦିଓ ଏହି ପରିସଂଖ୍ୟାନ ଅଗ୍ରଗତିକୁ ସୂଚାଉଛି, କେବଳ ଅଧିକ ଅଂଶଗ୍ରହଣ ହିଁ ଉତ୍ତମ ସୁଯୋଗ କିମ୍ବା ଔପଚାରିକ ନିଯୁକ୍ତି ପାଇବାକୁ ଦର୍ଶାଏ ନାହିଁ। ସେ ଏହା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ‘ସୁସଂଗଠିତ, ଉଚ୍ଚ ଅଭିବୃଦ୍ଧି ସମ୍ପନ୍ନ ଏବଂ ଅଧିକ ଦରମା ମିଳୁଥିବା କ୍ଷେତ୍ରଗୁଡ଼ିକରେ ପ୍ରବେଶ କରିବା ପାଇଁ ଅନେକ ମହିଳା ଏବେ ମଧ୍ୟ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ଗ୍ରାମ ହେଉ କି ସହର, ପ୍ରତ୍ୟେକ ମହିଳାଙ୍କ ଆଶା ଓ ଆକାଂକ୍ଷାକୁ ସଫଳ କରିବା ପାଇଁ ଏକ ସହାୟକ ଇକୋସିଷ୍ଟମ ଗଠନ କରିବାକୁ ଓଡ଼ିଶା ସରକାର ପ୍ରତିବଦ୍ଧ।’

ଏହି ପରାମର୍ଶ କର୍ମଶାଳା ମହିଳାମାନଙ୍କ କର୍ମବଳ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ସେମାନଙ୍କର ଆର୍ଥିକ ସଶକ୍ତିକରଣକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାରଙ୍କ ବ୍ୟାପକ ଆଭିମୁଖ୍ୟ ସହିତ ସମାନତା ରକ୍ଷା କରୁଛି। ଏହି ଅଧିବେଶନର ମୁଖ୍ୟ ଲକ୍ଷ୍ୟ ଥିଲା ବିଭିନ୍ନ ଅଂଶୀଦାର, ବିଶେଷ କରି ଶିଳ୍ପ ସହଭାଗୀମାନଙ୍କୁ ଏଥିରେ ସାମିଲ କରିବା, ଯାହାଦ୍ୱାରା ଔପଚାରିକ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତିନିଧିତ୍ୱକୁ ମଜବୁତ କରିବା ପାଇଁ ସେମାନଙ୍କର ଆବଶ୍ୟକତା ଏବଂ ଆହ୍ୱାନ ଗୁଡ଼ିକୁ ବୁଝିହେବ।

ସମାବେଶକୁ ସମ୍ବୋଧନ କରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ କହିଥିଲେ ଯେ, ସୁଦକ୍ଷା ଭଳି ସରକାରୀ କାର୍ଯ୍ୟକ୍ରମ ଅଧିକରୁ ଅଧିକ ଝିଅମାନଙ୍କ ପାଇଁ ମାନୁଫାକ୍ଚରିଂ ଏବଂ ନୂତନ ଜ୍ଞାନକୌଶଳ କ୍ଷେତ୍ରରେ ଦକ୍ଷତା ହାସଲ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଦକ୍ଷତା ବିକାଶ ଏବଂ ସଶକ୍ତିକରଣର ଏହି ଯାତ୍ରାରେ ଝିଅମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ସରକାର ପ୍ରତିବଦ୍ଧ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସି.ଇ.ଓ  ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର, ବିଶ୍ୱ ଦକ୍ଷତା କେନ୍ଦ୍ରର ସି.ଓ.ଓ, ଶ୍ରୀ ପିନାକୀ ପଟ୍ଟନାୟକ ଏବଂ  ଉଦୟୀତି ଫାଉଣ୍ଡେସନର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀମତୀ ନିତୁ ସିଂହଙ୍କ ସହ ପ୍ରତିଷ୍ଠିତ ଶିଳ୍ପସଂସ୍ଥାର ବରିଷ୍ଠ ଅଧିକାରୀ, ମହିଳା ଏବଂ ଛାତ୍ରଛାତ୍ରୀ  ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *