ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାର ଯୁବବର୍ଗ
ଭୁବନେଶ୍ୱର,୨୧/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ ଜଗତସିଂହପୁର ଜିଲ୍ଲାର ନାଗରିକ ସମାଜ ଓ ଯୁବ ସମାଜ ପକ୍ଷରୁ ଏକ ହଜାରରୁ ଉର୍ଦ୍ଧ୍ୱ ଜନ ସାଧାରଣ ଉପସ୍ଥିତ ରହି ଜିଲ୍ଲାରେ ନୂତନ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଥିବା ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ଜଗତସିଂହପୁର ଜିଲ୍ଲାରେ ଏକ ବିଶ୍ୱବିଦ୍ୟାଳୟ ଓ ପାରାଦୀପରେ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହି ନିଷ୍ପତ୍ତି ପାଇଁ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ, ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଏବଂ ଜିଲ୍ଲାର ଅନ୍ୟାନ୍ୟ ନେତୃବର୍ଗଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାର ଚାରୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏକ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ବିଶେଷକରି ଯୁବବର୍ଗ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ୱର୍ଦ୍ଧିତ କରିଥିଲେ । ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଜିଲ୍ଲାବାସୀ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ ।
ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ, ଏହି ନିଷ୍ପତ୍ତି ହେଉଛି ବିକଶିତ ଜଗତସିଂହପୁର ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ନିଦର୍ଶନ । ଏହା ମାଧ୍ୟମରେ ଜଗତସିଂହପୁର ଜିଲ୍ଲାରେ ଗୁଣାତ୍ମକ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ ଓ ବୈଷୟିକ ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ।
