୪ ବ୍ଲକ୍ କୁ ସ୍ୱର୍ଣ୍ଣ, ୭କୁ ରୌପ୍ୟ, ୩କୁ କାଂସ୍ୟ ଓ ୧୧ ବ୍ଲକ୍ କୁ ତାମ୍ର ପଦକ
ଦୁର୍ଗମ ଜିଲାକୁ ଯୋଗାଯୋଗ, ପରିବହନକୁ ପ୍ରାଥମିକତା
ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସଫଳ ମଡେଲ୍
ଭୁବନେଶ୍ୱର,୩୦/୦୭/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆସ୍ପିରେସ୍ନାଲ୍ ଜିଲା ଓ ବ୍ଲକ କାର୍ଯ୍ୟକ୍ରମ ଏକ ସଫଳ ମଡେଲ୍ ସାବ୍ୟସ୍ତ ହୋଇଛି । ଏଥିସହିତ ଆଗାମୀ ଦିନଗୁଡ଼ିକରେ ଆକାଂକ୍ଷୀ ଜିଲାର ଆକାଂକ୍ଷା ପୂରଣହେବ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟ କନ୍ଭେନସନ୍ କେନ୍ଦ୍ରଠାରେ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସମ୍ପୂର୍ଣ୍ଣତା ଅଭିଯାନ
ସମ୍ମାନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକସପ୍ତାହ ବ୍ୟାପି ଆକାଂକ୍ଷା ହାଟ ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସ୍ପିରେସ୍ନାଲ୍ ଜିଲା ଏବଂ ବ୍ଲକ କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରେ ଯୋଜନା କିପରି କାର୍ଯ୍ୟକାରୀ କରାଯାଇପାରିବ ତା’ଉପରେ ଗୁରୁତ୍ୱ ଦିଆଯାଉଛି । ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି, ଜଳସମ୍ପଦ, ଆର୍ଥôକ ଅନ୍ତର୍ଭୁକ୍ତିକରଣ ଏବଂ ଦକ୍ଷତା ବିକାଶକୁ ଆଧାର କରି ସାମାଜିକ ଅର୍ଥନୈତିକ ସୂଚକାଙ୍କ ମାଧ୍ୟମରେ ସମାବେଶୀ ବିକାଶର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରାଯାଉଛି । ଜିଲା ପରେ ଏବେ ବ୍ଲକକୁ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ୩-‘ସି’ ଯଥା- କନଭରଜେନ୍ସ ଅର୍ଥାତ୍ କେନ୍ଦ୍ର ଓ ରାଜ୍ୟ ଯୋଜନାର ସମନ୍ୱୟ, କୋଲାବରେସନ୍ ଅର୍ଥାତ୍- କେନ୍ଦ୍ର, ରାଜ୍ୟ, ଜିଲା ଓ ନାଗରିକଙ୍କ ମଧ୍ୟରେ ସହଯୋଗ, ଏବଂ ପ୍ରତିଯୋଗିତା ଅର୍ଥାତ୍- ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କରେ ଜିଲାମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଉପରେ ଗୁରୁତ୍ୱ ଦିଆଯାଇଛି । ଦୁର୍ଗମ ଏବଂ ଅଳ୍ପ ବିକଶିତ ବ୍ଲକ୍ଗୁଡିକରେ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ସହିତ ସେମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରାଯାଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ- ‘ଭୋକାଲ୍ ଫର୍ ଲୋକାଲ୍’ ଆଜି ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହାକୁ ବାସ୍ତବ ରୂ ଦେବା ନିମନ୍ତେ ୨୦୨୪ ମସିହାରେ ‘ଆକାଂକ୍ଷା ବ୍ରାଣ୍ଡ୍’ର ଶୁଭାରମ୍ଭ କରାଯାଇଛି । ମୁଁ ଅତ୍ୟନ୍ତ ଖୁସିର ସହ ଘୋଷଣା କରୁଛି, ଏହି ଆକାଂକ୍ଷା ବ୍ରାଣ୍ଡ୍ କୁ ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ଏକ ସପ୍ତାହବ୍ୟାପୀ ଆକାଂକ୍ଷା ହାଟ ଅଭିଯାନ ଆରମ୍ଭ କରାଯାଉଛି । ଏହି ଅଭିଯାନ ଦ୍ୱାରା ଆମ ରାଜ୍ୟର ଦୁର୍ଗମ ତଥା ଅନୁନ୍ନତ ଅଂଚଳରେ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଉପଲବ୍ଧତା ବୃଦ୍ଧିପାଇବ । ଏହା ମାଧ୍ୟମରେ ସ୍ଥାନୀୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଚାଷୀ, କାରିଗର, ବୁଣାକାର ଭାଇ ଓ ଭଉଣୀମାନଙ୍କ ଆର୍ଥôକ ସ୍ଥିତିରେ ଉନ୍ନତି ହେବା ସହ ଉପଭୋକ୍ତାମାନଙ୍କୁ ସ୍ଥାନୀୟ ଉତ୍ପାଦଗୁଡ଼ିକ ସୁଲଭ ଏବଂ ସଠିକ ଦରରେ ମିଳି ପାରିବ ।
ଆକାଂକ୍ଷା ହାଟ ଅନ୍ତର୍ଗତ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରେ ମାର୍କେଟିଙ୍ଗ୍ ନିମନ୍ତେ ଡିଜିଟାଲ୍ ଇବଜାର ଗୁଡ଼ିକରେ ମଧ୍ୟ ଉପଲବ୍ଧ କରାଯିବ । ଏହା ଦ୍ୱାରା ଏହି ଉତ୍ପାଦ ଗୁଡିକର ବଜାର ସଂଯୋଗ ଏବଂ ଉପଭୋକ୍ତା ସଂଖ୍ୟା ଆହୁରି ବ୍ୟାପକ ହୋଇପାରିବ । ବଜାର ଚାହିଦା ଅନୁଯାୟୀ ଉତ୍ପାଦ ଗୁଡ଼ିକର ମାନକ, ମୂଲ୍ୟ ନିର୍ଦ୍ଧାରଣ ଏବଂ ଉପଲବ୍ଧତା ବୃଦ୍ଧି ନିମନ୍ତେ ଆକାଂକ୍ଷା ବ୍ରାଣ୍ଡ୍ ର ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରାଯିବ ।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମକୁ ୨୦୧୮ ଜାନୁୟାରୀ ମାସରେ ଶୁଭାରମ୍ଭ କରିଥିଲେ । ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମର ସଫଳତା ପରେ ୨୦୨୩ ଜାନୁୟାରୀରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା । ଓଡ଼ିଶାର ମଧ୍ୟ ୧୦ଟି ଜିଲାରେ ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ (ଏଡିି) ଏବଂ ୧୬ଟି ଜିଲାର ୨୯ଟି ବ୍ଲକ ରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିି) କାର୍ଯ୍ୟକାରୀ ହେଉଛି ।

ଆକାଂକ୍ଷୀ ଜିଲା ଏବଂ ବ୍ଲକ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ, ସାରା ଭାରତବର୍ଷର ଆକାଂକ୍ଷୀ ଜିଲା ଏବଂ ବ୍ଲକ୍ ଗୁଡ଼ିକରେ ୨୦୨୪ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି ।ଉତ୍କର୍ଷ ପ୍ରଦର୍ଶନ ପାଇଁ ପୁରସ୍କୃତ ଜିଲା ଏବଂ ବ୍ଲକ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟ ନିମନ୍ତେ ଗୌରବର ବିଷୟ ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ସମସ୍ତ ଆକାଂକ୍ଷୀ ଜିଲାଗୁଡ଼ିକ କ୍ରମାଗତ ଭାବେ ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କହୁଛନ୍ତି । ରାଜ୍ୟର ୧୦ ଜିଲା ସାମୂହିକ ଭାବେ ୧୬୫ କୋଟି ଟଙ୍କା ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଯେଉଁ ଜିଲାଗୁଡ଼ିକ ଆଶାନୁରୂପ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାନ୍ତି, ସେମାନେ ନିରାଶ ନହୋଇ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସପିରେସ୍ନାଲ୍ ଜିଲା ଓ ବ୍ଲକଗୁଡ଼ିକ ପାଇଁ ପୁରସ୍କାର ଘୋଷଣା କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଆସପିରେସ୍ନାଲ୍ ଜିଲାମାନଙ୍କ ମଧ୍ୟରୁ ମାଲକାନଗିରି ଓ ନବରଙ୍ଗପୁର ସ୍ୱର୍ଣ୍ଣପଦକ, କନ୍ଧମାଳ ଓ କୋରାପୁଟ ରୌପ୍ୟପଦକ ଏବଂ ଢେଙ୍କାନାଳ, ଗଜପତି, କଳାହାଣ୍ଡି ଓ ନୂଆପଡ଼ା କାଂସ୍ୟପଦକ ହାସଲ କରିଛନ୍ତି । ସେହିପରି ଆସପିରେସ୍ନାଲ୍ ବ୍ଲକ୍ କାର୍ଯ୍ୟକ୍ରମରେ ଖୈରପୁଟ, ମାଥିଲି, ଚିତ୍ରକୋଣ୍ଡା ଓ ଡାବୁଗାଁ -ଏହି ଚାରିଟି ବ୍ଲକ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଅନ୍ୟ ୭ ବ୍ଲକ ରୌପ୍ୟପଦକ ଏବଂ ୩ ବ୍ଲକ କାଂସ୍ୟପଦକ ଏବଂ ୧୧ ବ୍ଲକ ତାମ୍ରପଦକ ପାଇଛନ୍ତି । ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ସମସ୍ତଙ୍କୁ ନେଇ ଟିମ୍ ୱାର୍କ କରିବା ଏକ ବହୁତ ବଡ଼ ଉପଲବ୍ଧି । ଜିଲାରେ ଗ୍ରୋଥ୍ କରିବାର ମାନସିକତା ସହିତ କାମ କରିବା ହିଁ ପ୍ରକୃତ କାର୍ଯ୍ୟ ଦକ୍ଷତା । ସମସ୍ତ ଆକାଂକ୍ଷୀ ଜିଲା ଓ ବ୍ଲକ୍ ଆଜି ନିଜର କାର୍ଯ୍ୟ ଦକ୍ଷତା ଦେଖାଇ ପୁରସ୍କୃତ ହେଉଛନ୍ତି ଏହା ଜାଣି ଅନେକ ଖୁସି ଲାଗୁଛି ଏବଂ ଏହା ହିଁ ଆଉ ଟିମ୍ ୱାର୍କର ଲକ୍ଷଣ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ।
ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ, ଏହି ଅସ୍ପିରେସ୍ନାଲ୍ ଜିଲା ଏବଂ ବ୍ଲକ କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଗମରୁ ଅତିଦୁର୍ଗମ ଅଂଚଳରେ ପହଂଚି ଯୋଜନା କାର୍ଯ୍ୟକାରୀ କରାଯାଇପାରୁଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲରେ ଏହି ଯୋଜନା ସହାୟକ ହେବ । ଆସନ୍ତୁ ଆମେ ସମସ୍ତେ ମିଳିମିଶି ସମସ୍ତ ଜନକଲ୍ୟାଣକାରୀ ଯୋଜନା କିରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଂଚିପାରିବ ସେ ଦିଗରେ କାର୍ଯ୍ୟକରିବା ।
ପରିଶେଷରେ ଯୋଜନା ଏବଂ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଟି. ଆଓ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆକାଂକ୍ଷୀ ଜିଲାର ଜିଲାପାଳ ଓ ବିଡିଓ ମାନେ ଉପସ୍ଥିତ ଥିଲେ ।
