ଭୁବନ ଅଞ୍ଚଳରେ ମହାବିଷୁବ ସଂକ୍ରାନ୍ତି,ଝାମୁ ଯାତ୍ରା, ଉଡା ପର୍ବ ଓ ହନୁମାନ ଜୟନ୍ତୀ ପାଳିତ 

ଭୁବନ,୧୫/୦୪/୨୦୨୫ (ଓଡ଼ିଶା ସମାଚାର)-ଭୁବନ ଅଞ୍ଚଳରେ ମହାବିଷୁବ ପଣା ସଂକ୍ରାନ୍ତି,ଝାମୁ ଯାତ୍ରା ଓ ହନୁମାନ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ଙ୍କ ପୀଠରେ ପ୍ରାତଃ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ୱର ଓ ପ୍ରଭୁ ହନୁମାନ ଙ୍କୁ ଦର୍ଶନ କରିଥିଲେ । ୧ ନମ୍ବର ୱାର୍ଡ ସ୍ଥିତ କାଶୀ ବିଶ୍ଵନାଥ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର,ପାଲା ମଣ୍ଡପ ସ୍ଥିତ ହନୁମାନ ମନ୍ଦିର,ସିନେମା ହଲ ଛକ ରେ ଥିବା ହନୁମାନ ମନ୍ଦିର ଓ ଶ୍ରୀରାମ ମନ୍ଦିର ରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି।

ଶ୍ରଦ୍ଧାଳୁ ଭକ୍ତ ମାନେ ହନୁମାନ ଚାଳିଶା ପାଠ କରିଥିଲେ। ଦକ୍ଷିଣ କାଳୀ ମନ୍ଦିର,ବାଟ ମଙ୍ଗଳା ଓ ବାଟ ତାରିଣୀ ପୀଠରେ ଧୁମ୍ ଧାମରେ ପଣା ସଂକ୍ରାନ୍ତି ପାଳିତ ହୋଇଥିଲା । ଭୁବନ ବ୍ଲକର ପ୍ରସିଦ୍ଧ ଶକ୍ତି ପୀଠ ବାରୁଆଁ  ମା ମଙ୍ଗଳା ପୀଠ ଓ ଓଡିଶ ମା ଚର୍ଚ୍ଚିକା ପୀଠରେ  ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି । ଶ୍ରଦ୍ଧାଳୁ ମାନେ ମା ‘ ଙ୍କ  ଦର୍ଶନ କରିବା ସହିତ ପଣା ଭୋଗ ଲାଗିକରାଯିବା ସହ ମାନସିକ ଥିବା ମାଟି ଘୋଡା ମାଙ୍କୁ ଅର୍ପଣ କରିଥିଲେ । ବିଭିନ୍ନ ସ୍ଥାନରେ ଥିବା  ହନୁମାନ ମନ୍ଦିର ସମେତ ଗାଁ ଗହଳିରେ ଥିବା ଦେବୀପୀଠରେ ମହାବିଷୁବ  ଓ ପଣା ସଂକ୍ରାନ୍ତି ଧୁମ ଧାମ ରେ ପାଳିତ ହୋଇଯାଇଛି ।

ବାରୁଆଁରେ ମା ମଙ୍ଗଳାଙ୍କ ପୀଠରେ ଶହରୁ ଉର୍ଦ୍ଧ  ଦୋକାନ ବଜ଼ାର ପଡ଼ିଥିବା ସହ  ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମାନସିକଧାରି ମାନେ ଘଣ୍ଟପାଟୁଆଙ୍କ ଝାମୁ ଯାତ୍ରାରେ ଉପସ୍ଥିତ ହୋଇ ନିଜନିଜର ପିଲାଙ୍କ ମଙ୍ଗଳ କାମନା ପୂରଣ କରିଥିଲେ । ସେହିପରି ଓଡିଶ ଚର୍ଚ୍ଚିକା ପିଠ ଓ ବଡକାଠିଆ ମଙ୍ଗଳା ପୀଠରେ ପୂଜାର୍ଚନା କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ସନ୍ଧ୍ୟାରେ ବଡ଼ହାଟ ଠାରେ ପାରମ୍ପରିକ ପାଟୁଆ ଯାତ୍ରା ଓ ଉଡା ପର୍ବ ରେ ମାନସିକବ୍ରତ ଧାରୀ ପାଟୁଆ ମାନେ ଚକ୍ରି ଦୋଳିରେ ଉଡ଼ିଥିଲେ ।

Leave a Reply

Your email address will not be published. Required fields are marked *