ଯାଜପୁର,୧୩/୦୨/୨୦୨୬ (ଓଡ଼ିଶା ସମାଚାର )- ଜିଲ୍ଲା ପ୍ରଶାସନ ପକ୍ଷରୁ ‘ବିକଶିତ ଭାରତ – ଜୀ ରାମ ଜୀ’ ଗ୍ରାମୀଣ ନିଯୁକ୍ତି ନୂତନ ଗ୍ୟାରେଣ୍ଟି ଯୋଜନା ସମ୍ଵନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏହି ବୈଠକରେ ଅଧ୍ୟକ୍ଷତା କରି “ବିକଶିତ ଭାରତ – ଜୀ ରାମ ଜୀ’ର ସବିଶେଷ ବିବରଣୀ ଦେବା ସହ ଏହାର ବୈଧାନିକ ସଂଶୋଧନ ସମ୍ବନ୍ଧରେ ସୂଚନା ଦେଇଥିଲେ।
ଏହି ଅଧିନିୟମର ପ୍ରମୁଖ ଚାରୋଟି କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଜଳ ସୁରକ୍ଷା, ଗ୍ରାମୀଣ ମୌଳିକ ଭିତ୍ତିଭୂମି, ରୋଜଗାର ସୃଷ୍ଟି ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ମାଧ୍ଯମରେ ଗ୍ରାମୀଣ ସ୍ତରରେ ୧୨୫ ଦିନର ନିଶ୍ଚିତ ନିଯୁକ୍ତି ସୃଷ୍ଟି କରିବା ନେଇ ଯୋଜନାରେ ପ୍ରାବଧାନ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ କର କହିଥିଲେ । ଏହା ପଞ୍ଚାୟତଗୁଡ଼ିକର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ସହ ଏହା ସମନ୍ୱିତ ବୋଲି ଜିଲ୍ଲାପାଳ କହିଥିଲେ । ଆଜିଠାରୁ ଆସନ୍ତା ଛଅ ସପ୍ତାହ ପର୍ଯ୍ୟନ୍ତ ଏହି ଅଧିନିୟମକୁ ନେଇ ଜିଲ୍ଲାର ବ୍ଲକ ଏବଂ ପଞ୍ଚାୟତସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଯୋଜନା ସମ୍ଵନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ନିମନ୍ତେ ଜନସଚେତନତା ସୃଷ୍ଟି କରାହେବ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି ଯୋଜନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, କୋରେଇ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଅବନିକାନ୍ତ ସାହୁ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
