ଓଡ଼ିଆ ଅସ୍ମିତାକୁ ଯୁବପିଢ଼ି ଗୌରବ ଭାବେ ଗ୍ରହଣ କରନ୍ତୁ: କୁଳପତି
ଭୁବନେଶ୍ୱର, ୧୩/୦୨/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି
ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନା ପକ୍ଷରୁ ରାଜ୍ୟସ୍ତରୀୟ ସାଂସ୍କୃତିକ ମହୋତ୍ସବ “ଓଡ଼ିଆଅସ୍ମିତା ଶିବିର -୨୦୨୬’ ଉଦଘାଟିତ ହୋଇଯାଇଛି । କୁଳପତି ପ୍ରସନ୍ନ କୁମାର ସ୍ୱାଇଁ ଏହି ରାଜ୍ୟସ୍ତରୀୟ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓଡ଼ିଆ ଅସ୍ମିତାକୁ ଆମର ସାଂସ୍କୃତିକ ପରିଚୟ ଓ ଗୌରବ ଭାବେ ସମସାମୟିକ ଯୁବପିଢ଼ି ଗ୍ରହଣ କରିବା ଉଚିତ । ଆମର ସାଂସ୍କୃତିକ ବିଭବର ସରଂକ୍ଷଣ ଓ ପ୍ରସାର ନିମନ୍ତେ ଆମ ଯୁବପିଢ଼ି ସଂକଳ୍ପବଦ୍ଧ ଭାବେ ଉଦ୍ୟମ କରିବାକୁ ଆଗଭର ହେବା ଉଚିତ ବୋଲି ସେ କହିଥିଲେ । ବିଶେଷକରି ଜାତୀୟ ସେବା ଯୋଜନାର ସ୍ୱେଛାସେବୀମାନେ ନିଜର ସାମାଜିକ କର୍ତବ୍ୟ ପ୍ରତି ସଚେତନ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।
କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଧରଣର ରାଜ୍ୟସ୍ତରୀୟ ଉତ୍ସବ ଜରିଆରେ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଉଭୟ ସାଂସ୍କୃତିକ ଓ ସାମାଜିକ ଭାବ ବିନିମୟର ସୁଯୋଗ ସୃଷ୍ଟି ହୋଇପାରିଛି । ସାମ୍ପ୍ରତିକ ସମୟରେ ଯୁବ ସ୍ୱେଛାସେବୀମାନଙ୍କ ଭୂମିକା ସମ୍ପର୍କରେ ସେ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ । ଜାତୀୟ ସେବା ଯୋଜନାର ରାଜ୍ୟ ମୁଖ୍ୟ ଡ. ରମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ “ଓଡ଼ିଆ ଅସ୍ମିତା ଶିବିର’ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ବିଶଦଭାବେ ଆଲୋଚନା କରିଥିଲେ ।
ରାଜ୍ୟର ୨୧ଟି ବିଶ୍ୱବିଦ୍ୟାଳୟର ସ୍ୱେଛାସେବୀ ଓ କାର୍ଯ୍ୟକ୍ରମ ସଂଯୋଜକମାନଙ୍କୁ ନେଇ ତିନିଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ସାଂସ୍କୃତିକ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଅନ୍ୱେଷଣ ଏହି ଶିବିରର ଅନ୍ୟତମ ଆଭିମୁଖ୍ୟ । ଓଡ଼ିଶାର ସାଂସ୍କୃତିକ ପରମ୍ପରା ସମ୍ପର୍କରେ ୨୧ଟି ବିଶ୍ୱବିଦ୍ୟାଳୟର ସ୍ୱେଛାସେବୀମାନଙ୍କୁ ସଚେତନ କରିବା ସହ ସେମାନଙ୍କ ପ୍ରତିଭାକୁ ସ୍ୱୀକୃତି ଦେବା ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଏହି ମିଳିତ ପ୍ରୟାସ ବୋଲି କାର୍ଯ୍ୟକ୍ରମ ଅଧିକାରୀ ଡ. ସାରଦା ପ୍ରସନ୍ନ ଦାସ ତାଙ୍କ ସ୍ୱାଗତ ଭାଷଣରେ ସୂଚନା ଦେଇଥିଲେ । ସଂଯୋଜକ ଡ. ସନ୍ଦୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
