ଘଟଗାଁ ସାମ୍ବାଦିକ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ

ଘଟଗାଁ,୦୯/୦୨/୨୦୨୬ (ଓଡିଶା ସମାଚାର )-ଘଟଗାଁ ସାମ୍ବାଦିକ ସଂଘର ପଞ୍ଜିକରଣ ପରେ ପ୍ରଥମ ସାଧାରଣ ବୈଠକ ନିକଟସ୍ଥ ୨୦ ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ‘ହାୱେ ଢାବା ଆଣ୍ଡ କାଫେ’ରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସମୀର ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ଓ ସାମ୍ବାଦିକତା ବିନା ସୁସ୍ଥ ଲୋକତନ୍ତ୍ରର କଳ୍ପନା ସମ୍ଭବ ନୁହେଁ କହିବା ସଙ୍ଗେ ସଙ୍ଗେ ସାମ୍ବାଦିକତା ସମାଜର ଆଇନା ଭଳି କାମ କରି ସତ୍ୟକୁ ପ୍ରତିବିମ୍ବିତ କରେ ବୋଲି କହିଥିଲେ । ବରିଷ୍ଟ ସାମ୍ବାଦିକ ଚନ୍ଦ୍ର ଶେଖର ସାହୁ ବକ୍ତବ୍ୟ ରଖି ସତ୍ୟ, ନିରପେକ୍ଷ ଓ ତଥ୍ୟାଧାରିତ ଖବର ସଂଗ୍ରହ, ପରୀକ୍ଷା, ସମ୍ପାଦନା ଏବଂ ପ୍ରସାରଣ ହେଉଛି ସାମ୍ବାଦିକତାର ମୂଳ ଆଧାର କହିବା ସହ  ଗଣମାଧ୍ୟମ ସତ୍ୟ, ନୀତି ଓ ଜନହିତକୁ ଆଧାର କରେ , ତେବେ ସମାଜ ନିଶ୍ଚିତ ଭାବେ ସୁସ୍ଥ, ସଚେତନ ଓ ପ୍ରଗତିଶୀଳ ହୋଇପାରିବ ବୋଲି କହିଥିଲେ।

ସଂଘର ଉପଦେଷ୍ଟା ନାରାୟଣ ପଲେଇ ଫେକ୍ ନ୍ୟୁଜ୍ ଓ ଭୁଲ ସୂଚନା ଯୋଗୁଁ ସମାଜରେ ସୃଷ୍ଟି ହେଉଥିବା ଭ୍ରାନ୍ତି ଓ ଅଶାନ୍ତି ପ୍ରତି ଗଭୀର ଚିନ୍ତା ପ୍ରକାଶ କରି ଖବର ପ୍ରସାରଣ ପୂର୍ବରୁ ସଠିକ ତଥ୍ୟ ଯାଞ୍ଚ ଓ ନିରପେକ୍ଷତା ଅବଳମ୍ବନକୁ ସୁସ୍ଥ ସାମ୍ବାଦିକତାର ପରିଚୟ ବୋଲି କହିଥିଲେ।

ଅନ୍ୟତମ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସାହୁ ଆଗାମୀ ଦିନରେ ସଂଘ ପକ୍ଷରୁ ଜନହିତକର କାର୍ଯ୍ୟ କରାଯିବା ନେଇ ମତ ପ୍ରକାଶ କରିଥିଲେ। ସାଧାରଣ ସମ୍ପାଦକ ଯୋଗେଶ ପଣ୍ଡା ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ବିଶ୍ୱାମିତ୍ର ପାତ୍ର, ନଳିନୀକାନ୍ତ ବେହେରା, ଅଭିଷେକ ପଣ୍ଡା, ରାଜେଶ ପୃଷ୍ଟି, ସମ୍ବିତ କୁମାର ସାହୁ, ମନୋରଞ୍ଜନ ସାହୁ, ବିପିନ ମହାନ୍ତ, ପୂର୍ଣ୍ଣାନନ୍ଦ ପଲେଇ, ରଞ୍ଜିତ ପଲେଇ, ମନୋଜ ପାତ୍ର, ମନୋରଞ୍ଜନ ଦାଶ ଓ ଧରଣୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *