କେନ୍ଦ୍ରାପଡ଼ା, ୦୪/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ତଥା ମହାକାଳପଡା ବ୍ଲକର ଗୋପିନାଥପୁର ଶାସନ ଗ୍ରାମର ବିଷ୍ଣୁଚରଣ କରଙ୍କ ଜ୍ୟେଷ୍ଠପୁତ୍ର ସନ୍ତୋଷ କୁମାର କରଙ୍କ ୬୩ବର୍ଷ ବୟସରେ କଟକ ବଡଡାକ୍ତରଖାନାରେ ପରଲୋକ ହୋଇଯାଇଛି । ସାମ୍ବାଦିକ ସ୍ୱର୍ଗତ କର ଦୈନିକ ଜନବାଣୀ, ବର୍ତମାନ ସମାଚାର, ଦିନଲିପି ଓ ପରେ ଉତ୍କଳମେଲ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ପରୋପକାରୀ ଓ କର୍ତବ୍ୟରତ ସାମ୍ବାଦିକ ଭାବେ ସାଧାରଣରେ ଜଣାଶୁଣା ଥିଲେ । ସେ ଜିଲା ସାମ୍ବାଦିକ ସଂଘ କାର୍ଯ୍ୟକାରୀ କମିଟିର ସଦସ୍ୟ ଥିଲେ ।
ତାଙ୍କ ମର ଶରୀର କେନ୍ଦ୍ରାପଡାରେ ପହଂଚିବା ପରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଚିତରଞ୍ଜନ ସାହୁ, ଉପସଭାପତି ଚିତରଞ୍ଜନ ଦାସଙ୍କ ସମେତ ବହୁ ସମ୍ବାଦିକ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ତାଙ୍କ ଜନ୍ମମାଟି ଗୋପିନାଥପୁର ଶାସନ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଶାସ୍ୱତ କୁମାର ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଜିଲାପାଳ ରଘୁରାମ ଆର.ଆୟର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
