ଯାଜପୁର, ୨୭/୦୧/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୭୭ତମ ଗଣତନ୍ତ୍ର ଦିବସରେ “ବାଲ୍ୟ ବିବାହ ମୁକ୍ତ ଭାରତ” ଉପଲକ୍ଷେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଅଛି । ଏହି ରାଲି ସିଭିଲ କୋର୍ଟ ପରିସରରୁ ବାହାରି ନରସିଂହ ଚୌଧୁରୀ ସ୍ଵଂୟ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।

ଏଥିରେ ନରସିଂହ ଚୌଧୁରୀ ସ୍ଵଂୟ ଶାସିତ ମହାବିଦ୍ୟାଳୟ, ବିରଜା ମହିଳା ବିଦ୍ୟାଳୟ, ବିରଜା ଆଇନ ମହାବିଦ୍ୟାଳୟର ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ଛାତ୍ରଛାତ୍ରୀମାନେ ତଥା ବିଭିନ୍ନ ଆଶା ଓ ଅଙ୍ଗନୱାଡି କର୍ମୀ ତଥା ସିଭିଲ କୋର୍ଟର କର୍ମଚାରୀମାନେ ଭାଗ ନେଇଥିଲେ। ଏହି ରାଲିକୁ ଜିଲ୍ଲା ଓ ଦୌରାଜଜ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ମିଳିତ ଭାବେ ଉଦଘାଟନ କରିଥିଲେ ।ଏହି ଶୋଭାଯାତ୍ରାରେ ସିଭିଲ କୋର୍ଟ ଯାଜପୁରର ସମସ୍ତ ବିଚାରପତି, ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ ।
ଏହି ରାଲି ମାଧ୍ୟ୍ୟମରେ ବାଲ୍ୟ ବିବାହ ମୁକ୍ତ ପୋର୍ଟାଲ https://stopchildmarriage.wcd.gov.in, ଶିଶୁ ସୁରକ୍ଷା ହେଲ୍ପ ଲାଇନ୍ ନମ୍ବର ୧୦୯୮ ଏବଂ ନାଲସା ନ୍ୟାସନାଲ ହେଲ୍ପ ଲାଇନ୍ ୧୫୧୦୦ ପ୍ରଚାର କରାଯାଇଥିଲା । ଏହି ଆନୁକୂଲ୍ୟରେ ଷ୍ଟୁଡେଣ୍ଟ୍ ଲିଗାଲ ଲିଟରେଚର କ୍ଲବ, ଯାଜପୁର ମ୍ୟୁନିସିପାଲିଟି ସରକାରୀ ବିଦ୍ୟାଳୟର ସଦସ୍ୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ପଥ ପ୍ରାନ୍ତ ନାଟକ “ବାଲ୍ୟ ବିବାହ ମୁକ୍ତ ଭାରତ” ପରିବେଷଣ କରାଯାଇଥିଲା। ଏହି ଶୋଭା ଯାତ୍ରାରେ ପ୍ରଶାସନ ତରଫରୁ ଏକ ସଚେତନତା ରଥ ପରିକ୍ରମଣ ହୋଇଥିଲା।
