ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ରାଜ୍ୟସ୍ତରୀୟ ମାଲ୍ୟାର୍ପଣ

ଭୁବନେଶ୍ୱର,୨୩/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅମର ନାମ ଲେଖାଇ ଯାଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଓଡ଼ିଶାର ବୀରତ୍ୱପୂର୍ଣ୍ଣ ସଂଗ୍ରାମର ପ୍ରତୀକ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶ୍ରଦ୍ଧା, ଗରିମା ଓ ଦେଶଭକ୍ତିମୟ ପରିବେଶ ମଧ୍ୟରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦୃଢ଼ ନେତୃତ୍ୱ, “ଆଜାଦ ହିନ୍ଦ” ଆନ୍ଦୋଳନ ଓ ସଶସ୍ତ୍ର ସଂଗ୍ରାମର ସାହସିକ ପଥ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲା। ସେହିପରି ଭାବେ ବୀର ସୁରେନ୍ଦ୍ର ସାଏ ଦୀର୍ଘ ବର୍ଷ ଧରି ଇଂରେଜ ଶାସନ ବିରୁଦ୍ଧରେ ଅବିରତ ସଂଘର୍ଷ କରି ଓଡ଼ିଶାର ମାଟିରୁ ସ୍ୱାଧୀନତାର ଆଗ୍ନିଶିଖାକୁ ପ୍ରଜ୍ୱଳିତ କରିଥିଲେ। ତାଙ୍କର ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମ ଆଜି ମଧ୍ୟ ଜାତିକୁ ପ୍ରେରଣା ଦେଇ ଆସୁଛି।

ଏହି ଅବସରରେ ଭୁବନେଶ୍ୱରର ରସୁଲଗଡ଼ ଛକ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଏବଂ ଭିଏସ୍ଏସ୍ ନଗର ସ୍ଥିତ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସହ ବିଭାଗର ଅନ୍ୟାନ୍ୟ ଅଧିକାରୀ, ବହୁ ବରିଷ୍ଠ ରାଜନୈତିକ ନେତୃବୃନ୍ଦମାନେ, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ଦାସ, ଭିଏସ୍ଏସ୍ ନଗରର ବାସିନ୍ଦା, ବୁଦ୍ଧିଜୀବୀ ଓ ଦେଶପ୍ରେମୀ ନାଗରିକ, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହ ଛାତ୍ରଛାତ୍ରୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମହାନ ବରପୁତ୍ରଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଦେଶପ୍ରେମ, ବଳିଦାନ ଓ ସ୍ୱାଧୀନତାର ମୂଲ୍ୟବୋଧକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

-0-

ଅନିଶା କର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *