ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

  • ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ ସୂଚୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ
  • ସଚିବମାନେ ଜିଲ୍ଲା ପରିଦର୍ଶନ ସମୟରେ ପାନୀୟ ଜଳ ପ୍ରକଳ୍ପ ଶୀଘ୍ର ସାରିବା ନେଇ ସମୀକ୍ଷା କରିବାକୁ ପରାମର୍ଶ
  • ୨୦୨୫-୨୬ ରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କିତ ଆଲୋଚନା
  • ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ସାରିବା, ଖର୍ଚ୍ଚ ସମୀକ୍ଷା ଏବଂ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ହାସଲକୁ ଗୁରୁତ୍ୱ

ଭୁବନେଶ୍ୱର,୧୫/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବ ସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅନ୍ୟ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଚିବ ମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ବୈଠକରେ ପ୍ରଥମେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସଚିବ ମାନଙ୍କର ମାସିକ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ସଚିବମାନେ ଯେତେବେଳେ ଜିଲ୍ଲା ଗସ୍ତରେ ଯାଉଛନ୍ତି, ସେମାନେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ବିଶେଷକରି ଯେଉଁଠି ପାନୀୟଜଳ ପ୍ରକଳ୍ପ ନିର୍ମାଣାଧିନ ରହିଛି ସେସବୁକୁ ସ୍ଥିତି ସମୀକ୍ଷା କରନ୍ତୁ । ପ୍ରକଳ୍ପ ବିଳମ୍ବ ହେଉଥିଲେ, ସେସବୁ କେଉଁ କାରଣରୁ ବିଳମ୍ବ ହେଉଛି, ସେ ସଂପର୍କରେ ବୁଝି ସମାଧାନ ପାଇଁ ପରାମର୍ଶ ଦିଅନ୍ତୁ । ପାନୀୟ ଜଳ ଏକ ପ୍ରମୁଖ ଆବଶ୍ୟକତା ଏବଂ ବିଭିନ୍ନ ଜିଲ୍ଲାରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଶୀଘ୍ର ଶେଷ ହେଲେ ସଂପୃକ୍ତ ଗ୍ରାମବାସୀ ଉପକୃତ ହେବେ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୧୫ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ କୁ ବିଭିନ୍ନ ବିଭାଗ ମାନେ କିପରି କାର୍ଯ୍ୟକାରୀ କରୁଛନ୍ତି ଏବଂ ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ୨୦୨୫-୨୬ବର୍ଷରେ ବିତ୍ତୀୟ ସ୍ଥିତି ସମୀକ୍ଷା କରାଯାଇଥିଲା। ବଜେଟ୍ ଅନୁମୋଦନ ଅନୁସାରେ ଗତ ଡିସେମ୍ବର୨୦୨୫ସୁଦ୍ଧା  ବିଭିନ୍ନ ବିଭାଗର ଖର୍ଚ୍ଚ ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଭିତ୍ତିଭୂମି, ସାମାଜିକ କ୍ଷେତ୍ର ଓ ଅନ୍ୟ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ ସମୀକ୍ଷା କରାଯାଇଥିଲା ।

ବିଭିନ୍ନ ବିଭାଗର ସାମଗ୍ରିକ ଖର୍ଚ୍ଚରେ ଗତବର୍ଷ ଅପେକ୍ଷା ୧୦ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ କାର୍ଯ୍ୟକ୍ରମ ବାବଦକୁ ୧୫ପ୍ରତିଶତ ବଢ଼ିଥିବା ଜଣାଯାଇଛି। ସେହପରି ବିଭିନ୍ନ ଉତ୍ସରୁ ରାଜସ୍ୱ ସଂଗ୍ରହ ଗତ ଆର୍ଥିକ ବର୍ଷ ତୁଳନାରେ ୭.୮୨ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି । ସଂପୃକ୍ତ ବିଭିନ୍ନ ବିଭାଗ ମାନଙ୍କୁ ସେମାନଙ୍କର ରାଜସ୍ୱ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ବଜେଟ ରେ କିପରି ନୂଆନୂଆ ପ୍ରସ୍ତାବ ଅଣାଯାଇପାରିବ, ସେ ସଂପର୍କରେ ସଚିବମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସେହିପରି ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ପାଣ୍ଠିର ଉପଯୋଗ ନେଇ ସ୍ୱତନ୍ତ୍ର ସମୀକ୍ଷା ଓ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବିଭାଗୀୟ ସଚିବମାନଙ୍କୁ ନିଜ ନିଜ ବିଭାଗରେ ବଜେଟ୍ ଅନୁମୋଦନ ଅନୁସାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ସାରିବା ଓ ଖର୍ଚ୍ଚ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ବହୁ ପୁରୁଣା ଆଇନ୍ ରହିଛି। ଯେଉଁ ଆଇନ ଗୁଡ଼ିକର  ସଂପ୍ରତି ଆବଶ୍ୟକତା ରହୁନାହିଁ, ସେ ସବୁକୁ ପ୍ରତ୍ୟାହାର  କରିବା ପାଇଁ ସଚିବ ମାନଙ୍କୁ ତର୍ଜମାକରି ପ୍ରସ୍ତାବ ଦେବାକୁ ଆଇନ୍ ବିଭାଗ ପକ୍ଷରୁ ଉପସ୍ଥାପନ କରାଯାଇଥିଲା ।ପ୍ରତିମାସ ୧୬ତାରିଖରେ ସମସ୍ତ ଜିଲ୍ଲାପାଳ ମାନଙ୍କ ସହିତ ଆଭାସୀ ମାଧ୍ୟମରେ ବିକାଶ ମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାନେଇ ଆଲୋଚନା ହେବ। କିନ୍ତୁ ଚଳିତ ମାସରେ ପୂର୍ବ ନିର୍ଦ୍ଧାରିତ ସରକାରୀ କାର୍ଯ୍ୟ ଥିବାରୁ ଜାନୁଆରୀ୧୬ରେ ଏହି ବୈଠକ ନହୋଇ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।ମାସର ପ୍ରତି ୩ୟ ମଙ୍ଗଳବାର ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ତଥା ଏମଓୟୁ ସ୍ୱାକ୍ଷରିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂପର୍କିତ ବୈଠକ ଅନୁଷ୍ଠିତ ହେବା ନେଇ ବୈଠକରେ ସୂଚନା ଦିଆଯାଇଥିଲା ।

-0-

ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *