ଭୁବନେଶ୍ୱର,୧୪/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଦିନ ୯ଘଟିକା ସମୟରେ ସ୍ଥାନୀୟ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥ ଉକ୍ତ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ସ୍ମୃ୍ତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସଭାପତି ବିଶିଷ୍ଟ ଶିକ୍ଷାବିତ୍ ତଥା ନାଟ୍ୟକାର ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତା କରି ଓଡ଼ିଆ ଭାଷାର ଦୁ୍ରଦିନରେ ଫକୀର ମୋହନ କିପରି ଭାଷା ବଂଚାଇବା ପାଇଁ ଉପନ୍ୟାସ, ଗଳ୍ପ, ପ୍ରବନ୍ଧ, କବିତା ଲେଖି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିଲେ ତା’ର ଅବତାରଣା କରିଥିଲେ । ତାଙ୍କ ସାହିତ୍ୟ ସାଧନାର ଗଭୀର ନିଷ୍ଠା ବିଷୟ ବର୍ଣ୍ଣନା କରିବାକୁ ଯାଇ ନଅଙ୍କ ଦୁର୍ଭିକ୍ଷ ସମୟରେ ପ୍ରାୟ ସମସ୍ତେ ମୁଠାଏ ଖାଇବାକୁ ଚିନ୍ତା କରୁଥିବାବେଳେ ସେ ବାଲେଶ୍ୱରରେ କିପରି ଛାପାଖାନା ବସାଯାଇ ଛପା କାର୍ଯ୍ୟ କରାଗଲେ ଓଡ଼ିଆ ଭାଷା ବଂଚି ରହିପାରିବ ସେ କଥା ଚିନ୍ତା କରୁଥିବା ବିଷୟ ଉଲ୍ଲେଖ କରିଥିଲେ ।
ଯାହା ତାଙ୍କ “ଜୀବନ ହିଁ ଭାଷା ସାହିତ୍ୟର” ବାର୍ତା ଦେଉଥିଲା । ତାଙ୍କର ତତ୍କାଳୀନ ସମାଜରେ ସାଧାରଣ ଜନତାଙ୍କ ପାଇଁ ଥିବା ଦରଦ ଦୃଷ୍ଟିରୁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋଳନ କରିବା ଏବଂ ରାଜ୍ୟ ଗଠନ ପାଇଁ ଗଠନ କରାଯାଇଥିବା ଉତ୍କଳ ସମ୍ମିଳନୀରେ ସଭାପତିତ୍ୱ କରିବା ଇତ୍ୟାଦି ତାଙ୍କ ରାଜନୈତିକ କାର୍ଯ୍ୟକଳାପର ଗୋଟିଏ ଗୋଟିଏ ନମୁନା ଅଟେ । ଅନ୍ୟତମ ଉପସଭାପତି ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ମହାନ୍ତି ବ୍ୟାସ କବିଙ୍କ ଗୁଣାବଳୀର ପ୍ରସଂଶା କରି ଓଡ଼ିଆ ଭାଷା ବଂଚି ରହିଥିବାରୁ ପରବର୍ତୀକାଳରେ ଆମ୍ଭେମାନେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ପାଇବା ସମ୍ଭବ ହେଲା ବୋଲି କହିଥିଲେ । ତେଣୁ ଆମ ଭାଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦେବା ନେଇ ମତ ରଖିଥିଲେ ।
ଆଜିର ଉପରୋକ୍ତ କାର୍ଯ୍ୟକ୍ରମ ଦ୍ୱୟରେ ଉପସଭାପତି ପ୍ରଫେସର କାଶୀନାଥ ରଥ, ଅଧିବକ୍ତା ଲକ୍ଷ୍ମୀଧର ଦାଶ, ସନ୍ତୋଷ କୁମାର ରାଉତ, ସମ୍ପାଦକ ଡା. ବାନାମ୍ବର ପରିଡ଼ା, ଇଂ. ବିରଂଚିନାରାୟଣ ଦାଶ, ଶ୍ରୀମତୀ ସ୍ୱାଗତିକା ରାଉତ, କୋଷାଧ୍ୟକ୍ଷ ତି୍ରନାଥ ସାମନ୍ତରାୟ କାର୍ଯ୍ୟନିର୍ବାହୀ ସଦସ୍ୟ ଇଂ. ଜିତେନ୍ଦ୍ର କୁମାର ପାଢ଼ୀ, ଦୀନବନ୍ଧୁ ଷଢ଼ଙ୍ଗୀ, ସବ୍ୟସାଚୀ ସାମନ୍ତରାୟ, ପଠାଣି ଜେନା, ତାପସ ଦାସ, ଶିରିଶ ପାତ୍ର ଏବଂ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ ରାଉତ, ବଂଶୀଧର ବେହେରା, ପ୍ରକାଶ ବେହେରା ଓ କେଶବ ପାଇଲ ପ୍ରମୁଖ ଯୋଗଦେଇଥିଲେ ।
ଶେଷରେ ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜ ନିଜେ ଦୀର୍ଘ ବର୍ଷ ଧରି ସବୁ କ୍ଷେତ୍ରରେ ଓଡ଼ିଆରେ ଦସ୍ତଖତ କରି କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିବାରୁ ଆଜି ଠାରୁ ଏଠାରେ ଉପସ୍ଥିତ ଥିବା ସମସ୍ତେ ଓଡ଼ିଆରେ ଦସ୍ତଖତ କରିବାକୁ ଶପଥ ନେବା ପାଇଁ ଅନୁରୋଧ କରିଥିଲେ ।
