ଭୁବନେଶ୍ୱର,୧୩/୦୧/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଜ୍ୟର ଜଣାଶୁଣା ସାମାଜିକ ସଂଗଠନ କ୍ରାନ୍ତିକାରୀ ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ “ଓଡ଼ିଶା ୟୁଥ୍ କନକ୍ଲେଭ୍-୨୦୨୬” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଏହି ଅବସରରେ ସଂଗଠନ ପକ୍ଷରୁ ଏକ ସ୍ମରଣିକା ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶ୍ରୀ ପଟ୍ଟନାୟକ ରାଜ୍ୟର ଯୁବଶକ୍ତିମାନଙ୍କୁ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସ୍ତରରେ ଆଗକୁ ଯିବା ସହ ଦେଶ ଓ ରାଜ୍ୟର ନେତୃତ୍ୱ ନେବାପାଇଁ ପରାମର୍ଶ ଦେଇଥିଲେ । ଯୁବ ସମାଜକୁ ନିଜର ଓ ସେମାନଙ୍କ ମନୋବଳ ଦୃଢ ରଖିବା ପାଇଁ ପରାମର୍ଶ ଦେଇଥିଲେ । ନିଜ ମାଆ ମାଟି, ମାତୃଭାଷା ଆଦିର ସୁରକ୍ଷା ପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ଶ୍ରୀ କାନୁନଗୋ ସ୍ୱାମୀ ବିବେକାନନ୍ଦଙ୍କ ପଥକୁ ଅନୁସରଣ କରି ଯୁବ ସମାଜକୁ ଆଗକୁ ନେବାପାଇଁ ପରାମର୍ଶ ଦେଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ସମସ୍ତ ଉକ୍ତିକୁ ପାଳନ କରି ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଯୁବଶକ୍ତିଙ୍କୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନର ଶୀର୍ଷକ “ଯୁବ ନେତୃତ୍ୱ-ସୃଷ୍ଟି, ସଂଘର୍ଷ ଓ ସମ୍ଭାବନା”ରେ ଭାଗ ନେଇ ଭଟଲି ର ବିଧାୟକ ଇରାଶିଷ ଆଚାର୍ଯ୍ୟ,କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋଶ, ବଜେଡ଼ି ନେତା ଅମିତ୍ ମଲ୍ଲିକ ନିଜର ମତାମତ ପ୍ରକାଶ କରିଥିଲେ । ରାଜନୀତିର ଯୁବବର୍ଗଙ୍କ ଭୂମିକା ଯେତେ ଗୁରୁତ୍ୱ ସେତିକି ଯୁବ ନେତୃତ୍ୱ ସୃଷ୍ଟି ହେବା ମଧ୍ୟ ସେତିକି ଆବଶ୍ୟକ । ରାଜନୀତିରେ ଯୁବ ନେତୃତ୍ୱ ସୃଷ୍ଟି ହେବା, ଛାତ୍ର ନିର୍ବାଚନ ଆଦିର ଗୁରୁତ୍ୱ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଦ୍ୱିତୀୟ ଅଧିବେଶନର ଶୀର୍ଷକରେ “କର୍ମ ନିଯୁକ୍ତି ଓ ଆତ୍ମ ନିର୍ଭରଶୀଳ- ଯୁବଶକ୍ତିଙ୍କ ପାଇଁ ସୁଯୋଗ ଓ ଆହ୍ୱାନ”ରେ ଯୋଗଦେଇଥିଲେ ସମାଜସେବୀ ତଥା ଆର୍କିଟେକ୍ଟ ସୃଷ୍ଟି ସୌମେନ୍, ଯୁବ ଉଦ୍ୟୋଗୀ ନଳିନୀକାନ୍ତ ମିଶ୍ର । ଯୁବବର୍ଗ କର୍ମନିଯୁକ୍ତି ଦେବା କ୍ଷେତ୍ରରେ ଆଗ୍ରହୀ ହେଉଛନ୍ତି, ତେଣୁ ଆତ୍ମନିର୍ଭରଶୀଳ ହେବାକୁ ଯେଉଁସବୁ ବାଧା ପ୍ରତିବନ୍ଧକ ରହିଛି, ସେଥିରେ ଧୈର୍ଯ୍ୟ ଅଧିକ ଆବଶ୍ୟ ।
ଏହି କ୍ଷେତ୍ରରେ ଜେନ୍-ଜି ଧ୍ୟାନ ଦେବା ଦରକାର । ଏଆଇଓ ଡିଜିଟାଲ୍ ଯୁଗର ସୁବିନିଯୋଗ ଯୁବବର୍ଗଙ୍କୁ କରିବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ତୃତୀୟ ଅଧିବେଶନର ଶୀର୍ଷକରେ – “ଉତ୍କୃଷ୍ଟ ଓଡ଼ିଶା- ସ୍ଥିତି, ସୃଜନ ଓ ସମ୍ଭାବନା” ଓଡ଼ିଶାର ଜଣାଶୁଣା ଅଭିନେତ୍ରୀ ଭୂମିକା ଦାସ, ସମାଜସେବୀ ରୁଦ୍ର ସାମନ୍ତରାୟ ଯୋଗଦେଇଥିଲେ । ସମାଜସେବା କ୍ଷେତ୍ରରେ ଯୁବବର୍ଗଙ୍କ ଭୂମିକା, ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷା ଦେବାମଧ୍ୟ ସେମାନଙ୍କର ଦାୟିତ୍ୱ ବୋଲି ମତପ୍ରକାଶ ପାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ନଳିନୀକାନ୍ତ ନାୟକ- ସ୍ୱାଗତଭାଷଣ ଦେବା ସହ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ସତ୍ୟାନନ୍ଦ ରାଉତ, ସହ ପ୍ରତିଷ୍ଠାତା ସର୍ବଜିତ୍ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଲୋକନାଥ ପାଣିଗ୍ରାହୀ, ଶ୍ରୀମା ଶତପଥୀ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ । ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅନେକ ଯୁବ ପ୍ରତିଭାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ, ଚିନ୍ଟୁ ଦାସ, ବିଶ୍ୱରଂଜନ ଦାସ, ଚିତରଂଜନ ମଲ୍ଲିକ, ସୁଦାମ ପ୍ରଧାନ, ସୌମ୍ୟରଂଜନ ବିଶ୍ୱାଳ, ଅମୂଲ୍ୟ ସେଠୀଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ ।
