ଚିଲିକା ହ୍ରଦର ସାମଗ୍ରୀକ ବିକାଶ ସମ୍ପର୍କିତ ବୈଠକ

ଚିଲିକାର ସୁରକ୍ଷା ପାଇଁ ସମନ୍ୱିତ ଯୋଜନା

ଚିଲିକା ମୂହାଣ ଖନନ, ବିଭିନ୍ନ ପାଣି ଚ୍ୟାନେଲର ଖନନ, ମତ୍ସ୍ୟ ସମ୍ପଦର ଉନ୍ନତିକରଣ, ଦୀର୍ଘସ୍ଥାୟୀ ଭିତ୍ତିଭୂମି ବିକାଶ, ଗବେଷଣା

ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଚିଲିକା ହେଉଛି ଆମ ଜୈବବିବିଧତାର ଭଣ୍ଡାର, ଏହାର ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ କରିବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚିଲିକାର ବିକାଶ ପାଇଁ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଇଛି । ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ଏକ ବୈଠକରେ ଚିଲିକାର ଉନ୍ନୟନ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚିଲିକା ହେଉଛି ଆମ ଜୈବ ବିବିଧତାର ଏକ ଭଣ୍ଡାର । ତେଣୁ, ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

  ବୈଠକରେ ଚିଲିକାର ସୁରକ୍ଷା ଓ ପରିବେଶର ଉନ୍ନତି ପାଇଁ ଏକ ସମନ୍ୱିତ ଯୋଜନା ଉପସ୍ଥାପନ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ, ଚିଲିକାର ପୁନରୁଦ୍ଧାର ପାଇଁ ଏହାର ମୂହାଣ ଖୋଳାଯିବା, ଚିଲିକାକୁ ସଂଯୋଗ କରୁଥିବା କେତେକ ପାଣି ଚ୍ୟାନେଲର ମଧ୍ୟ ଖନନ କରାଯିବା, ଚିଲିକାର ମୁଖ୍ୟ ପାଣି ଚ୍ୟାନେଲ ସହିତ ବାଲୁଗାଁ ଚ୍ୟାନେଲ, ମଗରମୁଖ ଚ୍ୟାନେଲ ଏବଂ ପାଲୁର ଚ୍ୟାନେଲକୁ ଖୋଳାଯାଇ ମାଟି କଢ଼ାଯିବା ଆଦି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହାସହିତ, ମତ୍ସ୍ୟସମ୍ପଦର ଉନ୍ନତିକରଣ ପାଇଁ ପ୍ରାୟ ଫିସ୍‌ ଲ୍ୟାଣ୍ଡିଙ୍ଗ୍ ସେଣ୍ଟର ପ୍ରତିଷ୍ଠା, ଏବଂ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ଭିତ୍ତିଭୂମିର ବିକାଶ ଓ ଗବେଷଣା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ଏହାଦ୍ୱାରା ଚିଲିକାର ଲବଣାଂଶରେ ସନ୍ତୁଳନ ରହିବା ସହିତ ଏହାର ଜୈବବିବିଧତାରେ ଉନ୍ନତି ଆସିପାରିବ । ଏଥିପାଇଁ ସମୁଦାୟ ୫ ବର୍ଷ ସମୟ ଲାଗିବ ।

ସୂଚନାଯୋଗ୍ୟ ଯେ, ଚିଲିକା ହେଉଛି ଆମ ରାଜ୍ୟ ଓ ଦେଶର ଏକ ଅନନ୍ୟ ଲୁଣି ହ୍ରଦ । ଶୀତକାଳୀନ ପକ୍ଷୀମାନଙ୍କ ପାଇଁ ଏହା ଏକ ଭୂ-ସ୍ୱର୍ଗ । ତେବେ, ୨୦୦୦ ମସିହା ପରଠାରୁ ଚିଲିକାର ମୂହାଣ ଆଉ ଖୋଳାଯାଇ ନଥିବାରୁ ଏହା କ୍ରମଶଃ ପୋତି ହୋଇପଡ଼ୁଛି, ଯାହାଦ୍ୱାରା ଏହାର ଜୈବସମ୍ପଦ ଧିରେ ଧିରେ କମି ଯାଉଛି । ତେଣୁ, ବର୍ତ୍ତମାନ ଏହାର ସୁରକ୍ଷା ନିହାତି ଆବଶ୍ୟକ ହୋଇପଡ଼ିଛି ।

ଚିଲିକାର ପୁନରୁଦ୍ଧାର ସହିତ ଏଥିରେ ପର୍ଯ୍ୟଟନର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ଅନୁଯାୟୀ ଚିଲିକାରେ ପକ୍ଷୀଉତ୍ସବ, ସି-ଫୁଡ ଉତ୍ସବ, ବୋଟ ଫେଷ୍ଟିଭାଲ, ଲାଇଟ ହାଉସ ସ୍ଥାପନ, ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ ପର୍ଯ୍ୟଟନର ବିକାଶ ଉପରେ ପଦକ୍ଷେପ ନିଆଯିବ ।

ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଷରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *