‘ନିଗମ’ ଅନୁଷ୍ଠାନର ପ୍ରତିଭା ପୂଜନ ଉତ୍ସବ

ସମାଜର ତଳଶ୍ରେଣୀର ଲୋକଙ୍କ ମୁହଁରେ ହସ ଫୁଟାଇବା ହିଁ ସମାଜସେବା
ଭୁବନେଶ୍ୱର,୦୮/୦୧/୨୦୨୬ (ଓଡ଼ିଶା ସମାଚାର)- ସମାଜର ତଳସ୍ତରରେ ବଂଚୁଥିବା ଲୋକଟିର ମୁହଁରେ ହସ ଫୁଟାଇବା ହିଁ ସମାଜସେବା । ଆମେ ବିଭିନ୍ନ କ୍ଷେତ୍ରରେ ଅଛନ୍ତି । କାହା ପାଖରେ ଅନେକ ସୁଯୋଗ ଅଛି ଓ କାହା ପାଖରେ କମ୍ ସୁଯୋଗ ଅଛି । କିନ୍ତୁ ଆମର ଲକ୍ଷ୍ୟ ସମାଜର ଅବହେଳିତ, ନିଷ୍ପେସିତ ତଥା ପୀଡ଼ିତ ଲୋକଙ୍କ ପାଇଁ କାମ କରିବା ଦରକାର । ତାହା କରିପାରିଲେ ଆମ ଜୀବନ ସାର୍ଥକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

କୃଷି ଓ ଜୀବିକା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ନିଗମ’ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ପ୍ରତିଭା ପୂଜନ ଉତ୍ସବରେ ଯୋଗଦେଇ ଅତିଥିମାନେ ଏହି ମତ ରଖିବା ସହ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ସଫଳ ବ୍ୟକ୍ତି, ପ୍ରତିଭା ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ସମାଜ ପାଇଁ ସେମାନଙ୍କର କାର୍ଯ୍ୟ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । ଜଣେ ଜଣେ ବ୍ୟକ୍ତିଙ୍କୁ ସଶକ୍ତ କରିପାରିଲେ ସମାଜ ସଶକ୍ତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।

ନବନିର୍ମାଣ କୃଷକ ନେତା, ସାମ୍ବାଦିକ ତଥା ରାଜନେତା ଶେଷଦେବ ନନ୍ଦଙ୍କ ସଭାପତିତ୍ୱ ଏବଂ ସଂଚାଳନରେ ଅନୁଷ୍ଠିତ ଏହି ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱରସ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ଜେନା, କେନ୍ଦ୍ରାପଡ଼ା କ୍ରେଡ଼ିଟ କୋ-ଅପରେଟିଭ ବ୍ୟାଙ୍କର ସଭାପତି ପ୍ରମୋଦ କୁମାର ସାହୁ, ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଏବଂ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ‘ନିଗମ’ର ସମ୍ପାଦକ ସୁରେଶ କୁମାର ତ୍ରିପାଠୀ ପ୍ରାରମ୍ଭିକ ଅଭିଭାଷଣ ରଖି ନିଗମର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରୁ ଆସିଥିବା ସଫଳ ଯୁବ ଉଦ୍ୟୋଗୀ, ସମାଜସେବୀ, ଅବସରପ୍ରାପ୍ତ ଦକ୍ଷ ପଦାଧିକାରୀ, ଶିକ୍ଷକ, ସାମ୍ବାଦିକ ଓ ରାଜନେତାଙ୍କୁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *