ମୁଖ୍ୟମନ୍ତ୍ରୀଙ୍କ ୧୬ତମ ପାଳି ଅଭିଯୋଗ ଶୁଣାଣି

୧୫ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୯୫ ପ୍ରତିଶତ ଅଭିଯୋଗର ସମାଧାନ

ଆଜି ସୁଦ୍ଧା ୫୬ ହଜାରରୁ ଉର୍ଦ୍ଧ୍ୱ ଲୋକ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି

ମୁଖ୍ୟମନ୍ତ୍ରୀଙ୍କ ସହିତ  ୭ଜଣ  ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଓ ପଦାଧିକାରୀ ଲୋକଙ୍କ ଅଭିଯୋଗ ଶୁଣିଲେ

ସାଧାରଣ ଲୋକ ନ୍ୟାୟ ପାଉଛନ୍ତି, ଅଭିଯୋଗ ଶୁଣାଣି ପ୍ରକ୍ରିୟା ଉପରେ ଲୋକଙ୍କର ଆସ୍ଥା ଓ ଆଗ୍ରହ ବଢି ଚାଲିଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୫/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୬ତମ ପାଳି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବାହ୍ନ ୧୦ ଘଟିକା ସମୟରେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୭ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।

ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ସକାଳେ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ୩୦ ଜଣ ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ।

ଜଟିଳ ରୋଗରେ ପୀଡ଼ିତ କେନ୍ଦୁଝର ଜିଲ୍ଲାର ପପୁନ ମହାରଣା, ଖୋର୍ଦ୍ଧା ଜିଲ୍ଲାର ପ୍ରିୟବ୍ରତ ପ୍ରଧାନ ଏବଂ କଟକ ଜିଲ୍ଲାର ଦୀପ୍ତିମୟୀ ଦାଶଙ୍କ ପାଇଁ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଜନାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ସାଧାରଣ ଲୋକଟିଏ ତା’ର ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛି । ସରକାରଙ୍କ ପକ୍ଷରୁ ମଧ୍ୟ ସବୁ ଅଭିଯୋଗକୁ ସମାନ ଗୁରୁତ୍ୱ ଦିଆଯାଇ ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିିଆଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୫ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୩,୩୫୮ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୯୫ ପ୍ରତିଶତ ଅଟେ । ବକେୟା ଅଭିଯୋଗ ଗୁଡିକ ପ୍ରକ୍ରିୟା ମଧ୍ୟରେ ରହିଛି।

ସୂଚନାଯୋଗ୍ୟ ଯେ, ଅଭିଯୋଗ ଗୁଡିକ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଆସୁଛି। ଗୋଟିଏ ଗୋଟିଏ ଅଭିଯୋଗ ସହିତ ଅତି କମ୍ ରେ ଦୁଇ ତିନି ଜଣରୁ ଆରମ୍ଭ କରି ୧୦ ଜଣ ପର୍ଯ୍ୟନ୍ତ ରହୁଛନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଆଜି ସୁଦ୍ଧା ପ୍ରାୟ ୫୬ ହଜାରରୁ ଉର୍ଦ୍ଧ୍ୱ ଲୋକ ଜନ ଶୁଣାଣି ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଶୁଣାଇଛନ୍ତି।

ଏଥି ସହିତ ଜନ ଶୁଣାଣି ପୋର୍ଟାଲ ଏବଂ ଡାକ ଇତ୍ୟାଦି ଯୋଗେ ଆସିଥିବା ୧,୪୯,୪୧୮ ଅଭିଯୋଗ ମଧ୍ୟରୁ ୧,୩୦,୮୪୫ ଅର୍ଥାତ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି।

ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛି। ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ଲୋକଙ୍କର ବହୁଦିନର ସମସ୍ୟାର ସମାଧାନ ହୋଇପାରୁଛି। ସାଧାରଣ ଲୋକମାନେ ନ୍ୟାୟ ପାଇପାରୁଛନ୍ତି। ଏଥିଯୋଗୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କ ଆସ୍ଥା ଓ ଆଗ୍ରହ ବଢିଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ ଜାରି ରହିବ ବୋଲି ସେ କହିଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ  ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ଉନ୍ନୟନ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *