ଚଳଚିତ୍ର ପ୍ରଯୋଜକ ରବୀନ୍ଦ୍ର ସାହୁଙ୍କ ପରଲୋକ

କେନ୍ଦ୍ରାପଡ଼ା, ୧୭/୧୨/୨୦୨୫(ଓଡ଼ିଶା ସମାଚାର)-ବିଶିଷ୍ଟ ବ୍ୟବସାୟୀ, ଚଳଚିତ୍ର ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁଙ୍କ ୮୧ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରପଡା ସହରରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଶେଷ ଶଯ୍ୟା ନିକଟରେ ୫ପୁଅ ଓ ଏକମାତ୍ର ଝିଅଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ । ତାଙ୍କ ମରଶରୀର କେନ୍ଦ୍ରାପଡା ସ୍ଥିତ ବାସଭବନରେ ପହଂଚିବା ପରେ କେନ୍ଦ୍ରାପଡା ସହର ତଥା ଆଖପାଖ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଭୁବନେଶ୍ୱରସ୍ଥିତ ଡାକ୍ତରଖାନାରେ ପହଂଚି ସ୍ୱର୍ଗତ ସାହୁଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ସାହୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ସାରା ଜିଲାରେ ପରିଚିତ ଥିଲେ । ସେ ୧୦ଟିରୁ ଅଧିକ ଓଡିଆ ଚଳଚିତ୍ର ବଳଦେବଜୀୟୁ ପ୍ରଡକ୍ସନ ନାମରେ ପ୍ରଯୋଜନା କରି ସଫଳ ହୋଇଥିଲେ । ସେ ରାଜନୀତିରେ ଯୋଗଦେଇ ପ୍ରଥମେ କେନ୍ଦ୍ରାପଡା ପୌର ପରିଷଦର ସଭ୍ୟ ଭାବେ ନିର୍ବାଚିତ ହୋଇ ସହରର ଉନ୍ନତିମୂଳକ କାର୍ଯ୍ୟ କରିଥିଲେ । କେନ୍ଦ୍ରାପଡା ନିର୍ବାଚନ ବିଧାନସଭା କ୍ଷେତ୍ରରୁ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ ।

ଏଥିସହିତ ଶ୍ରୀବଳଦେବଜୀୟୁ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ନିର୍ଦେଶକ ଏବଂ ଭୁଉନ୍ନୟନ ବ୍ୟାଙ୍କର ନିର୍ଦେଶକ ଭାବେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ବିଜେଡି ନେତା ରଞ୍ଜିତ୍ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ବୋହୁ କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁଙ୍କ ସମେତ ଶହଶହ କେନ୍ଦ୍ରାପଡାବାସୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ଲିଲିତା ଦାସ, ବିଜେଡି ଜିଲା ସଭାପତି ଶିବ ପ୍ରସାଦ ଭଳ, ଯୁବନେତା ରାଜେଶ ପଣ୍ଡା, ବିଜେଡି ନଗର ସଭାପତି ଯଯାତି ମହାନ୍ତି, ହିରଣ୍ୟ ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ସୌମେନ୍ଦ୍ର ପୃଷ୍ଟି, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପ୍ରଫୁଲ୍ଲ ଦାସ, ଶ୍ରୀବଳଦେବଜୀଉ ଟ୍ରଷ୍ଟବୋର୍ଡ ନିର୍ବାହୀ ଅଧିକାରୀ ବଳଭଦ୍ର୍ର ପତ୍ରୀ, ବିଜେପି ନେତା ସଲିମ ଖାନ, ଗିତାଞ୍ଜଳୀ ସେଠୀ, ବୈଦ୍ୟନାଥ ଚାଟାର୍ଜୀ, ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ଟାଉନଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ସମେତ ପୌର ପରିଷଦର ସମସ୍ତ କାଉନସିଲର ଓ ପୂର୍ବତନ କାଉନସିଲରମାନେ ସ୍ୱର୍ଗତ ସାହୁଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *