ରାମଚଣ୍ଡୀରେ ‘ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ’ (OSWALI)  ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ — ୧୨ କୋଟି ଟଙ୍କା  ଖର୍ଚ୍ଚରେ ଏହି ‘ସନ୍ତରଣ ଶିକ୍ଷା ଓ ଲାଇଫ୍ ଗାର୍ଡ’ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠିତ

ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ସାରା ଦେଶରେ ଓଡ଼ିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ

ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ MoU ସ୍ଵାକ୍ଷରିତ

ଉପକୂଳ  ଅଞ୍ଚଳରେ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ OSWALI ଏକ ଉତ୍ସର୍ଗୀକୃତ ଆନ୍ତର୍ଜାତୀୟ କେନ୍ଦ୍ର ଭାବରେ ଉଭା ହେବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI) ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ  ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା  ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର  ମଧ୍ୟ ସ୍ଥାପନ କରାଯାଇଥିଲା।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ବୁଝାମଣା ପତ୍ର ମଧ୍ଯ ସ୍ଵାକ୍ଷର ହୋଇଥିଲା ।

ଓଡ଼ିଶା ପର୍ଯ୍ୟଟନ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ NIWS ଗୋଆ ମଧ୍ୟରେ ଜଳ କ୍ରୀଡ଼ା ସୁରକ୍ଷା ମାନକ ବିକଶିତ କରିବା, ବୃତ୍ତିଗତ ଲାଇଫଗାର୍ଡ ତାଲିମ ପରିଚାଳନା କରିବା, କ୍ଷମତା ବୃଦ୍ଧି କରିବା ଏବଂ ରାଜ୍ୟରେ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନର ପରିସରକୁ ବୃଦ୍ଧି କରିବା ପାଇଁ ଏହି ଏମ୍ଓୟୁ (MoU) ସ୍ୱାକ୍ଷରିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ଓ ଜୀବନ ରକ୍ଷା କୌଶଳ,  ଏବଂ ଉପକୂଳବର୍ତ୍ତୀ ଜରୁରୀକାଳୀନ ପ୍ରସ୍ତୁତି ଉପରେ ଆଧାରିତ ଏକ ଚମତ୍କାର ୱାଟରମ୍ୟାନସିପ୍ ସୋ ପ୍ରଦର୍ଶନ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଏମ୍ଓୟୁ (MoU) ସ୍ୱାକ୍ଷର ଅବସରରେ  ନିଜ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ରଚିତ କାଳଜୟୀ କବିତା “ରାମଚଣ୍ଡୀରେ ସନ୍ଧ୍ୟା” ବିଷୟ ଉଲ୍ଲେଖ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଜଳ ସୁରକ୍ଷା, ଲାଇଫ ଗାର୍ଡ ତାଲିମ ଏବଂ ଉପକୂଳବର୍ତ୍ତୀ ସହନଶୀଳତା ପାଇଁ  OSWALI ପ୍ରତିଷ୍ଠାନ ଏକ ଉତ୍ସର୍ଗୀକୃତ ଜାତୀୟ ତଥା ଅନ୍ତର୍ଜାତୀୟ କେନ୍ଦ୍ର ଭାବରେ ଉଭା ହେବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ତଥା ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ବର୍ଦ୍ଧିତ ବିପଦକୁ ମୁକାବିଲା  କରିବା ପାଇଁ ଓଡ଼ିଶାର କ୍ଷମତାକୁ ବୃଦ୍ଧି କରିବ।

ସେ ଗୁରୁତ୍ୱ ଦେଇ କହିଥିଲେ ଯେ ସରକାର ଅଗ୍ନିଶମ ସେବାକୁ ସୁଦୃଢ଼ କରିବା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଅଧିକାରୀ ତଥା ଯୁବକମାନଙ୍କ ପାଇଁ ତାଲିମ ସୁଯୋଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ ଅଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ଅଗ୍ନିଶମ ବିଭାଗ ନେତୃତ୍ଵାଧୀନ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛି। ଗତ ଦେଢ ବର୍ଷ ମଧ୍ୟରେ ଆମ ସରକାର ଅମଳରେ ଦୁଇଟି ବୃହତ୍ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇଥିଲେ। କିନ୍ତୁ, ଆମେ ତାହାର ସଫଳ ମୁକାବିଲା କରିବାରେ ସମର୍ଥ ହୋଇଛୁ।

ଆଜି ଏଠାରେ ଯେଉଁ ପ୍ରଶିକ୍ଷଣ କେନ୍ଦ୍ରଟି ଆରମ୍ଭ ହୋଇଛି ତାହା ଦେଶର ଅଗ୍ନିଶମ ବାହିନୀ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ଏନ.ଡି.ଆର.ଏଫ୍ ଓ ବିଭିନ୍ନ ରାଜ୍ୟରେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାମରେ ନିଯୁକ୍ତ ପୋଲିସ, ଗୃହରକ୍ଷୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦେବ ।

ନୌସେନା ବାହାରେ, ଏ କ୍ଷେତ୍ରରେ ଏହା ଦେଶର ପ୍ରଥମ ପ୍ରତିଷ୍ଠାନ । ତେଣୁ ଏହାକୁ ଆମେ ଏକ ଜାତୀୟ ସ୍ତରର ପ୍ରଶିକ୍ଷଣ କେନ୍ଦ୍ର ଭାବେ କହିଲେ ଅତ୍ୟୁକ୍ତି ହେବ ନାହିଁ। ବୋଲି ସେ କହିଥିଲେ।

 ଆମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଯେଉଁ ଉତ୍କର୍ଷ ହାସଲ କରିଛି ତାହାକୁ ବ୍ୟବହାର କରି ଆମେ ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଙ୍କୁ ଏହି ପ୍ରତିଷ୍ଠାନ ମାଧ୍ୟମରେ  ପ୍ରଶିକ୍ଷଣ ଦେବୁ। ଏହି ପ୍ରତିଷ୍ଠାନର ମୂଳ ଉଦ୍ଦେଶ୍ୟ ହେଲା, ବିଭିନ୍ନ ବିପର୍ଯ୍ୟୟରେ ଧନ ଜୀବନ ବଞ୍ଚାଇବା  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ୧୨ କୋଟି ଟଙ୍କା  ଖର୍ଚ୍ଚରେ ଏହି ‘ସନ୍ତରଣ ଶିକ୍ଷା ଓ ଲାଇଫ୍ ଗାର୍ଡ’ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଚଳିତ ବଜେଟରେ ବୁଡାଳୀ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଆଉ ଅଧିକ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମାଧ୍ୟମରେ ଆଜି ଏହି ବୁଡାଳୀ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ଦିଆଗଲା। ଏହି ନୂଆ ପ୍ରକଳ୍ପର କାମ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ  କୁ ନିର୍ଦ୍ଦେଶ ଦେଇଥିଲେ  ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ପୁରା ଦେଶପାଇଁ ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରୁଛୁ । ତେଣୁ,  ଏହାକୁ ପୂର୍ଣ୍ଣାଙ୍ଗ କରିବା ଓ ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପ୍ରତି ଆପଣମାନେ ଯତ୍ନବାନ ହେବେ। ଏହି ପ୍ରଶିକ୍ଷଣ କେନ୍ଦ୍ର ଆମ ରାଜ୍ୟର ସମ୍ମାନ ବୃଦ୍ଧି କରିବ। ଆମ ରାଜ୍ୟକୁ ଦେଶରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କ୍ଷେତ୍ରରେ ଏକ ଉଦାହରଣ ଭାବେ ନୂଆ ପରିଚୟ ଦେବ। ଅନ୍ୟ ରାଜ୍ୟର କର୍ମଚାରୀମାନେ ଏଠାକୁ ଆସିବେ ଓ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‍ରୁ ଶିଖିବେ ।

ଏଇ ଆହୁରି କହିଥିଲେ ଯେ ବର୍ତ୍ତମାନ ମଧ୍ୟ ଆମ ଗହଣରେ ନାଗାଲାଣ୍ଡ, ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆସିଥିବା ପ୍ରଶିକ୍ଷାର୍ଥୀ ଅଛନ୍ତି ।

 ନିକଟରେ ଆମ ପ୍ରତିଷ୍ଠାନ NDRFର କର୍ମଚାରୀଙ୍କୁ ବୁଡାଳୀ ପ୍ରଶିକ୍ଷଣ ଓ NAVYର କର୍ମଚାରୀଙ୍କୁ ନିଆଁ ଲିଭାଇବା ପ୍ରଶିକ୍ଷଣ ଦେଇଛନ୍ତି । ଆପଣମାନେ ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଓଡ଼ିଶାରେ ଅନ୍ୟ ରାଜ୍ୟର ଓ ରାଷ୍ଟ୍ରୀୟ ସଂସ୍ଥା ମାନଙ୍କର କର୍ମଚାରୀ ପ୍ରଶିକ୍ଷଣ ନେବା ନିଶ୍ଚିତ ରୂପେ ଏକ ଗର୍ବର କଥା। ଯେହେତୁ ଏହି ପ୍ରତିଷ୍ଠାନ ଗୁଡିକ ଜାତୀୟ ମାନ୍ୟତା ପାଇଛନ୍ତି, ସେଗୁଡିକୁ ଯତ୍ନର ସହ ଆଗକୁ ବଢେଇବା ଆମ ସମସ୍ତଙ୍କର ଦାୟିତ୍ୱ। ଆଜିର ଦିନଟି ଆଉ ଗୋଟିଏ ଦିଗରୁ ମଧ୍ୟ ଐତିହାସିକ । ସମଗ୍ର ଦେଶରେ ପ୍ରଥମଥର ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଅଗ୍ନିଶମ ବିଭାଗ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି ।

 ପର୍ଯ୍ୟଟନ ବିଭାଗ ଏହି କେନ୍ଦ୍ରଟିକୁ ଦୁଇଟି ଉପାୟରେ ବ୍ୟବହାର କରିବ । ପ୍ରଥମ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ହୋଟେଲ ଇତ୍ୟାଦିରେ ନିଯୁକ୍ତ ଲାଇଫ ଗାର୍ଡ ମାନଙ୍କର ପ୍ରଶିକ୍ଷଣ କରାଇବେ । ଦ୍ଵିତୀୟରେ ଏଠାରେ ଦୁଃସାହସିକ ଜଳକ୍ରୀଡାର ସୁବିଧା ଯୋଗାଇବା । ନିକଟରେ ଆମ ସରକାର ଆଡ଼ଭେନ୍‍ଚର୍‌ ସ୍ପୋର୍ଟ୍‍ସ ନୀତି ଗ୍ରହଣ କରିଛନ୍ତି । ଏଠି ଥିବା ସ୍କୁବା ପ୍ରଶିକ୍ଷଣ ବ୍ୟବସ୍ଥାଟିକୁ ବ୍ୟବହାର କରି ପର୍ଯ୍ୟଟକଙ୍କୁ ସ୍କୁବା ଅନୁଭୂତି ମିଳିବ ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଜଗତସିଂହପୁର ସାଂସଦ ଡ. ବିଭୁ ପ୍ରସାଦ ତରାଇ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତି, କାକଟପୁର ବିଧାୟକ ଶ୍ରୀ ତୁଷାର କାନ୍ତି ବେହେରା, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ପର୍ଯ୍ୟଟନ ସଚିବ ଡଃ ବଲବନ୍ତ ସିଂହ, ପୋଲିସ ଡିଆଇଜି ଡ. ଉମା ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଡ. ସୁଧାଂଶୁ  ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପୋଲିସ୍ ହାଉସିଙ୍ଗ୍ କରପୋରେସନ୍‍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *