ଜଗତସିହପୁର,୧୨/୦୮/୨୦୨୬ (ଓଡ଼ିଶା ସମାଚାର)- କୃଷି ବିଜ୍ଞାନ କେନ୍ଦ୍ର,ଜଗତସିହପୁର ଆନୁକୁଲ୍ୟରେ ଏକ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ୧୧.୦୮.୨୦୨୬ ଓ ୧୨.୦୮.୨୦୨୬ ତାରିଖରେ ଦୁଇ ଦିନଧରି ସଫଳତା ର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୃଷି ବିଭାଗର ଆତ୍ମା ପ୍ରକଳ୍ପ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ଚାରୋଟି ବ୍ଲକ୍ ଯଥା ତିର୍ତ୍ତୋଲ, ରଘୁନାଥପୁର,କୁଜଙ୍ଗ ଓ ଏରସମାରୁ ସମୁଦାୟ ୨୫ ଜଣ ଆଗଧାଡ଼ିର ଚାଷୀ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମର ପ୍ରଥମ ଦିନରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ.ଜୀବନଜିତ ସେନ କର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଏହାର ଉଦ୍ଦେଶ୍ୟ ଚାଷୀମାନଙ୍କୁ ବୁଝାଇ କହିଥିଲେ।
ପ୍ରଥମ ଦିନର ପ୍ରଥମ ଭାଗରେ ମୃତ୍ତିକା ବୈଜ୍ଞାନିକ ଡ.ପ୍ରଦୀପ୍ତ କୁମାର ମାଝୀ ଚାଷୀମାନଙ୍କୁ ଫସଲରେ ସମନ୍ୱିତ ଖାଦ୍ୟ ପରିଚାଳନା ବିଷୟରେ ବିଶେଷ ଜ୍ଞାନ ପ୍ରଦାନ କରିଥଲେ। ରୋଗପୋକ ବୈଜ୍ଞାନିକ ଦେବାଶିଷ ପଣ୍ଡା ଚାଷୀମାନଙ୍କୁ ବିଭିନ୍ନ ରୋଗପୋକର ସମସ୍ୟାର ସମାଧାନ ବିଷୟରେ କହିବା ସହିତ ରୋଗପୋକ ନିୟନ୍ତ୍ରଣରେ ଆଧୁନିକ ଔଷଧମାନ ବିଷୟରେ ଜ୍ଞାନ ପ୍ରଦାନ କରିଥଲେ। ଦ୍ୱିତୀୟ ଭାଗରେ ମତ୍ସ୍ୟ ବିଶେଷଜ୍ଞ ସରିତା ଦାସ ମାଛ ଚାସରେ ଉନ୍ନତ ବୈଜ୍ଞାନିକ ପ୍ରଣାଳୀ ବିଷୟରେ ଆଲୋକପାତ କରିଥିଲେ।ଶେଷଭାଗରେ ପ୍ରାଣୀ ବୈଜ୍ଞାନିକ ଡ.ତପନ କୁମାର ପଲାଇ ଗୋପାଳନ ଓ କୁକୁଡ଼ା ପାଳନ ଜନିତ ସମସ୍ୟା ଓ ଏହାର ସମାଧାନ ବିଷୟ ରେ ଆଲୋକପାତ କରିଥଲେ।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ. ବିଭୁଦତ୍ତ ସାହୁ ଯୋଗଦେଇ ଚାଷୀମାନଙ୍କ ସହ ବିଭିନ୍ନ ଚାଷ ଜନିତ ସମସ୍ୟା ଉପରେ ଆଲୋଚନା କରିଥିଲେ।କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପରିଚାଳକ ମଣ୍ଟୁ ଚୌଧୁରି ଧାନ ଓ ପନିପରିବା ଚାଷରେ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆଲୋକପାତ କରିଥିଲେ।ଗୃହ ବିଜ୍ଞାନୀ ସସ୍ମିତା ପୁରୋହିତ ଲାଭଜନକ ଛତୁ ଚାଷ ବିଷୟରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅଧିକାରୀ ସ୍ୱାଗତିକା ମିଶ୍ର ଓ ସ୍ୱରାଜ କୁମାର ବେହେରା ଅଂଶ ଗ୍ରହଣ କରିଥିଲେ। ନେଇଥିବା ସମସ୍ତ ଚାଷୀମାନଙ୍କୁ ଚାଷ ସମ୍ବନ୍ଧିତ ବିଭିନ୍ନ ବୈଷୟିକ ପୁସ୍ତିକା ପ୍ରଦାନ କରାଯାଇଥିଲା ।ଶେଷ ପର୍ଯାୟରେ ଚାଷୀମାନେ ସକ୍ରିୟ ଅଂଶ ଗ୍ରହଣ କରି ନିଜନିଜ ର ଅଭିଜ୍ଞତା ବାଣ୍ଟିବା ସହ ନିଜ ନିଜର ଚାଷ ସମ୍ବନ୍ଧିତ ସମସ୍ୟା ର ସମାଧାନ ବୈଜ୍ଞାନିକ ମାନଙ୍କଠାରୁ ବୁଝିଥିଲେ। ଶେଷରେ କେନ୍ଦ୍ରରେ ଥିବା ବିଭିନ୍ନ ପ୍ରୟୋଗଶାଳା ଓ ପ୍ରଦର୍ଶନ କ୍ଷେତ୍ର ପ୍ରଦର୍ଶନ କରି ଜ୍ଞାନ ଅର୍ଜନ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
