ଉନ୍ନୟନ କମିଶନରଙ୍କୁ ସାକ୍ଷାତ କଲେ ଦୃଷ୍ଟିହୀନ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତା ଦଳର ଓଡ଼ିଶା ଖେଳାଳି

                                                                                ଅବିଶ୍ୱସନୀୟ ପ୍ରଦର୍ଶନ ପାଇଁ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର,୧୦/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ପ୍ରଥମ ଦୃଷ୍ଟିହୀନ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତା ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ୪ଜଣ ଖେଳାଳୀ ଫୁଲ ସୋରେନ,ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା ଆଜି ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।  ଖେଳାଳିମାନେ ଅବିଶ୍ୱସନୀୟ ତଥା ଉତ୍ତମ ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିଥିବାରୁ ଉନ୍ନୟନ କମିଶନର ସେମାନଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ  ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଖେଳାଳି ମାନଙ୍କୁ ଭେଟି ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛନ୍ତି ବୋଲି  ସେ ପ୍ରକାଶ କରିଥିଲେ ।

        ଖେଳାଳି ମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନରେ ହୋଇଥିବା ଐତିହାସିକ ବିଜୟ ଓଡ଼ିଶାର ସମସ୍ତ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବା ସହିତ ସମସ୍ତ ଦିବ୍ୟାଙ୍ଗ ଏବଂ ମହିଳାମାନଙ୍କ ପାଇଁ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଉନ୍ନୟନ କମିଶନର ପ୍ରକାଶ କରିଥିଲେ । ସେମାନଙ୍କର କୋଚ ଙ୍କୁ ମଧ୍ୟ ସେ ତାଙ୍କର କଠିନ ପରିଶ୍ରମ ଓ ଅବଦାନ ପାଇଁ ପ୍ରଶଂସା କରିଛନ୍ତି । ଏହି ସାକ୍ଷାତକାର ସମୟରେ ଜଳ ସଂପଦ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ମାନସୀ ନିମ୍ଭାଲ ମଧ୍ୟ ଉପସ୍ଥିତ ଥିଲେ ।

        ପ୍ରକାଶ ଥାଉକି, ବିଶ୍ୱକପ୍ ବିଜୟ ଲାଭ ପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଏହି ଖେଳାଳିମାନଙ୍କୁ ସେମାନଙ୍କର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ, ପୁରସ୍କାର ସ୍ୱରୂପ ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

-0-

ପଠାଣି ରାଉତ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *