ଏକ ରଣନୈତିକ ଆର୍ଥିକ ସହଭାଗିତା ପାଇଁ ଓପିଟିସିଏଲ ଓ ନାବାର୍ଡ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

– ଓଡ଼ିଶାରେ କୌଣସି ରାଜ୍ୟ ପିଏସୟୁକୁ ନାବାର୍ଡ଼ ଦ୍ୱାରା ପ୍ରଥମ ଥର ପାଇଁ ପ୍ରକଳ୍ପ ଆର୍ଥିକ ସହାୟତା

ଭୁବନେଶ୍ୱର,୧୦/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶାରେ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ଓପିଟିସିଏଲ ଏବଂ ନାବାର୍ଡ ମଧ୍ୟରେ ଏକ ଦୀର୍ଘକାଳୀନ ଋଣ ଚୁକ୍ତିନାମା ସ୍ୱାକ୍ଷରିତ ଲୋକସେବା ଭବନରେ ହୋଇଛି। ଏହି ରଣନୈତିକ ଆର୍ଥିକ ସହଭାଗିତା ରାଜ୍ୟର ଆଗାମୀ ଶିଳ୍ପ ପ୍ରକଳ୍ପ ଓ ଗ୍ରାହକମାନଙ୍କ ପାଇଁ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖିଛି।

ଏହି ବୁଝାମଣା ପତ୍ର ଅନୁଯାୟୀ, ନାବାର୍ଡ ବାର୍ଷିକ ୭.୭୫% ଆକର୍ଷଣୀୟ ସୁଧ ହାରରେ ଓପିଟିସିଏଲକୁ ₹୧,୬୮୫.୨୭ କୋଟି ଋଣ ପ୍ରଦାନ କରିଛି। ମୋଟ ଋଣ ପରିମାଣରୁ, ₹୯୦୦ କୋଟି ନୂତନ ବିଦ୍ୟୁତ ପରିବହନ ପ୍ରକଳ୍ପ ପାଇଁ ବ୍ୟବହୃତ ହେବ, ବଳକା ପରିମାଣ ପୂର୍ବରୁ ହୋଇଥିବା ଉଚ୍ଚ-ମୂଲ୍ୟଯୁକ୍ତ ଋଣକୁ ସ୍ୱିଚ୍ କରିବା ପାଇଁ ବ୍ୟବହୃତ ହେବ। ଓଡ଼ିଶାରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟ ପିଏସୟୁକୁ ନାବାର୍ଡ ଦ୍ୱାରା ପ୍ରକଳ୍ପ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।ଏହା ରାଜ୍ୟର ବିଦ୍ୟୁତ୍ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ବିକାଶର ଧାରା ସୃଷ୍ଟି କରିବ।

ବୁଝାମଣାପତ୍ର ସ୍ୱାକ୍ଷରିତ ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଓପିଟିସିଏଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଯୋଗ ଦେଇ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ।

ଓପିଟିସିଏଲର ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଏସ.କେ. ସାହୁ ଏବଂ ନାବାର୍ଡର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ମହାପ୍ରବନ୍ଧକ ଶ୍ରୀ ଭି.କେ. ନାଗଙ୍କ ମଧ୍ୟରେ ଏହି ଚୁକ୍ତିନାମା ଆନୁଷ୍ଠାନିକ ଭାବରେ ଆଦାନପ୍ରଦାନ ହୋଇଥିଲା। ଓପିଟିସିଏଲ ଓ ନାବାର୍ଡର ଅନ୍ୟାନ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ସହଭାଗିତା ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ପରିବହନ ଭିତ୍ତିଭୂମିର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବ ଏବଂ ରାଜ୍ୟର ବର୍ଦ୍ଧିତ ଶିଳ୍ପ ଓ ଆର୍ଥିକ ଚାହିଦାକୁ ପୂରଣ କରିବ ବୋଲି ଆଶା କରାଯାଉଛି।

-0-

ସୁଶ୍ରୀ ସଙ୍ଗୀତା ମହାରଣା ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *