ଜିଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଜଗତସିଂହପୁର,୨୫/୧୧/୨୦୨୫ (ଓଡ଼ିଶା ସମାଚାର)-  ଜଗତସିଂହପୁର ଜିଲ୍ଲାରେ ଖରିଫ‌ ବର୍ଷ ୨୦୨୫ -୨୬ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ,ମାନ୍ୟବର ବିଧାୟକ ବାଲିକୁଦା ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା , ମାନ୍ୟବର ବିଧାୟକ ତିର୍ତ୍ତୋଲ ଡ ରମାକାନ୍ତ ଭୋଇ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଜିତ୍ରାୟ ଚରଣ ଟୁଡୁ ସ୍ଵାଗତ ଭାଷଣ ଦେବାସହ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ।

ଆସନ୍ତା ୧୬.୦୧.୨୫ ତାରିଖ ରୁ ପର୍ଯ୍ୟାୟକ୍ରମେ ୪୯୬୮୫ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ୧୧୫ ଗୋଟି ମଣ୍ଡି ( ୧୦୬ PACS ଓ ୯ WSHG)ମାଧ୍ୟମରେପ୍ରଥମ ପର୍ଯ୍ୟାୟ ରେ ୩,୦୮,୦୦୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।   ବୈଠକ ରେ ଉପସ୍ଥିତ ରହି ସାଂସଦ ଶ୍ରୀ ତରାଇ ମିଲର ମାନେ ଉପଯୁକ୍ତ ତାଲିମ୍ ପ୍ରାପ୍ତ ଲୋକଙ୍କୁ ମଣ୍ଡି କୁ ପଠାଇବା, ମଣ୍ଡି ରେ ଚାଷୀ ଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇବା,  ଆଦି ଉପରେ  ଗୁରୁତ୍ୱାରୋପ କରିଥିଲେ।  ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା କହିଲେ ଯେ, ଜଗତସିଂହପୁର କୃଷି ସମୃଦ୍ଧ ଜିଲ୍ଲା।ମିଲର,ଚାଷୀ , ପ୍ରଶାସନ ପରସ୍ପର ର ପରିପୂରକ ଓ ସେମାନଙ୍କ ମଧ୍ୟରେ ସହଭାଗିତା ରହିଲେ ହିଁ ସମସ୍ତ କାର୍ଯ୍ୟ ସୁରୁଖୁରରେ ହୋଇପାରିବ। ରେଜିଷ୍ଟ୍ରେସନ୍ ଅନୁଯାୟୀ ଟାର୍ଗେଟ, FAQ  ନାମରେ ଚାଷୀ ଙ୍କୁ ଶୋଷଣ ନ କରିବା, କଳା ବଜାରୀ କୁ ପ୍ରୋତ୍ସାହନ ନ ଦେଇ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଆଦି ବିଷୟ ରେ ମଧ୍ୟ ଗୁରୁତ୍ଵ ଦେଇଥିଲେ ବିଧାୟକ। ବୈଠକ ରେ ଉପସ୍ଥିତ ରହି ମାନ୍ୟବର ବିଧାୟକ, ତିର୍ତ୍ତୋଲ ଡ ରମାକାନ୍ତ ଭୋଇ ମଧ୍ୟ ଧାନ ସଂଗ୍ରହ ର ସ୍ୱଚ୍ଛ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ସମସ୍ତଙ୍କ ସହଯୋଗ ରେ ଧାନ ସଂଗ୍ରହ ଠିକ ଭାବେ ହୋଇପାରିବ ବୋଲି କହିଥିଲେ।

ସ୍ବଚ୍ଛ ଧାନ ଆଣିବା ପାଇଁ ଚାଷୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ମିଲର ମାନେ ପ୍ରତ୍ୟେକ PACS ରେ ସମୟ ପୂର୍ବରୁ ଝୋଟ ବସ୍ତା ପହଞ୍ଚାଇ ପାରିଲେ ସମସ୍ୟା ହେବନାହିଁ। ଗୋପାଳପୁର ର ବାଟ ମଙ୍ଗଳା ଠାରେ ନୂତନ ପାକ୍ସ ପାଇଁ ପ୍ରସ୍ତାବ ରଖିଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ସହ ଗତଥର ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାର ପୁନରାବୃତ୍ତି ନଘଟିବା ,ଚାଷୀମାନେ ଯେପରି କଟଣି ଛଟଣୀର ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବେ ସମସ୍ତ ପଞ୍ଚାୟତ ରେ ପି ଆର ଆଇ ମେମ୍ବର, ଜିଲ୍ଲା ପରିଷଦ ମେମ୍ବର, ଭି ଏଲ ଡବ୍ଲୁ ତଥା ତୃଣ ମୂଳ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ମିଳିତ ସମନ୍ଵୟ ରେ ଚାଷୀ ଭାଇ ମାନଙ୍କ ନିମନ୍ତେ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଦ୍ବାରା ସେମାନଙ୍କୁ ଧାନ ସଂଗ୍ରହ ର ବ୍ୟବସ୍ଥା ବିଷୟ ରେ ବୁଝାଇବାକୁ ପରାମର୍ଶ ଦେଇଥିଲେ।ସମସ୍ତ ମଣ୍ଡି ମାନଙ୍କରେ ଜଣେ ଲେଖାଏ ନୋଡ଼ାଲ ଅଧିକାରୀ ଏବଂ ୪-୫ ଟି ମଣ୍ଡି ରେ ଜଣେ ଲେଖାଏ ସୁପରଭାଇଜିଙ୍ଗ ଅଧିକାରୀ ଓ ଗ୍ରିଭାନ୍ସ ଅଧିକାରୀ ଙ୍କୁ ଦାୟିତ୍ବ ଦିଆ ଯିବ ।

ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ,ମଣ୍ଡିରେ ବିଜୁଳି, ଭିତ୍ତିଭୂମି,ଆଶ୍ରୟ ସ୍ଥଳ,ଟୋକନ୍ ସମୟ ସୀମା, ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା କୌଣସି ଅସୁବିଧାରେ ସମ୍ପନ୍ନ କରିବାକୁ କହିଥିଲେ ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ୨୩୬୯/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୮୯/- ଟଙ୍କା ରଖାଯାଇଛି ।

 ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଆବଶ୍ୟକ ସ୍ଥଳେ ସଂଗୃହୀତ ଧାନର ମାନ ନିରୀକ୍ଷଣ କରିବା ପାଇଁ ଯନ୍ତ୍ରର ବ୍ୟବହାର କରାଯିବ (ଗ୍ରେନ ଆନାଲାଇଜର )  ଏବଂ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ଲଗାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ । ଧାନର ଏଫଏକ୍ୟୁ ମାନ ବିଷୟରେ ଚାଷୀଙ୍କୁ ପୂର୍ବରୁ ସଚେତନ କରିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା I    ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ମିଲର୍, ଚାଷୀଭାଇ ତଥା ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *