୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି

ଦୀର୍ଘ ୮୯ ବର୍ଷ ଧରି ଓଡିଶା ବିଧାନସଭା ଆମର ଗଣତାନ୍ତ୍ରିକ ପରମ୍ପରାର ଐତିହ୍ୟ ବହନ କରିଆସୁଛି

ଓଡ଼ିଶା ଏକ ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ବହନ କରୁଛି, ପୂର୍ବ ଭାରତର ସାଂସ୍କୃତିକ କେନ୍ଦ୍ର-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର Parliamentary Research and Training Institute for Democracies (PRIDE) ତରଫରୁ ୧୨ ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଏକ ବୈଠକରେ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ଓଡ଼ିଶାର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଏବଂ ବିଧାନସଭାର ୮୯ ବର୍ଷର ଉତ୍ସର୍ଗୀକୃତ ଜନସେବାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶା ରାଜ୍ୟ ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ।

ଜୁନ୍ ୨୦୨୪ ରୁ ଜୁନ୍ ୨୦୨୫ମଧ୍ୟରେ ଓଡିଶା ବିଧାନସଭା 62ଟି ବୈଠକ ପରିଚାଳନା କରିଛି ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍, ୨୦୨୪ ଉପରେ ରେକର୍ଡ ୧୨ ଘଣ୍ଟା ୨୫ ମିନିଟ୍ ବିତର୍କ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଧାନସଭା ପ୍ରକ୍ରିୟାର ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌ର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ, ଇ-ପ୍ରଶାସନ ପାଇଁ OSWAS, ସମ୍ପୂର୍ଣ୍ଣ ଡିଜିଟାଲ୍ ଗୃହ, ଗବେଷଣା ଏବଂ ସୂଚୀକରଣ(Indexing) ପାଇଁ AI ର ବ୍ୟବହାର ଆଦି ଅନେକ ପଦକ୍ଷେପ ନିଆଯାଇଛି। ଡିଜିଟାଲ୍ ପ୍ରୟୋଗ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡିଶା ବିଧାନସଭା ଜାତୀୟ ପୁରସ୍କାର ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ବିଭିନ୍ନ ସଂସଦୀୟ କମିଟି ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଓଡ଼ିଶାର ୧୦ଟି ବିଭାଗୀୟ ସ୍ଥାୟୀ କମିଟି ସମେତ ୨୫ଟି କମିଟି ଗଠନ କରାଯାଇଛି। ଉନ୍ନତ ପ୍ରଶାସନ ସୁନିଶ୍ଚିତ କରିବା ପାଇଁ ଏହି କମିଟି ଗୁଡିକ “ମିନି-ପାର୍ଲିମେଣ୍ଟ” ଭାବରେ କାର୍ଯ୍ୟ କରୁଛି। ଓଡ଼ିଶା ନିକଟରେ ଅନୁସୂଚିତ ଜାତି ଏବଂ ଜନଜାତି କମିଟିର ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରିଥିଲା। ଏହା ଆମର Inclusive Governance ପ୍ରତି ପ୍ରତିବଦ୍ଧତାର ପ୍ରମାଣ ବୋଲି ସେ କହିଥିଲେ।

ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ପୂର୍ବ ଭାରତର ସାଂସ୍କୃତିକ କେନ୍ଦ୍ର ଭାବରେ ବର୍ଣ୍ଣନା କରିଥିଲେ।

ବିଦେଶୀ ପ୍ରତିନିଧିମାନେ ପୂର୍ବରୁ ପୁରୀ, କୋଣାର୍କ, ଧଉଳି ଏବଂ ଅନ୍ୟାନ୍ୟ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର ଐତିହ୍ୟ ଓ ଆତିଥ୍ୟର ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର କହିଛନ୍ତି ଯେ ବିଶ୍ୱ ଗଣତାନ୍ତ୍ରିକ ପରିବେଶରେ ଓଡ଼ିଶାର ବିଧାନସଭା ଏକ ଜାତୀୟ ମଡେଲ ଭାବରେ ଉଭା ହୋଇଛି। ଓଡ଼ିଶାର ବିଧାନସଭା ଶୃଙ୍ଖଳା, ଗଠନମୂଳକ ବିତର୍କ ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ଏକ ମଡେଲ । ଏଣୁ ସଂସଦୀୟ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଯୁବ ବିଶ୍ୱ ପ୍ରତିନିଧିମାନଙ୍କୁ ଭାରତର ଅନନ୍ୟ ସଂସଦୀୟ ପରମ୍ପରା ଶିଖିବା ପାଇଁ ଏକ ବିରଳ ସୁଯୋଗ ପ୍ରଦାନ କରୁଛି।

ଉକ୍ତ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମକୁ ପ୍ରତିନିଧିତ୍ବ କରୁଥିବା ତୁର୍କମେନିସ୍ତାନର ମଜଲିସ୍ (ସଂସଦ) ସଦସ୍ୟ କରିମଗୁଲି ଗୁରବାଙ୍ଗୁଲିଭିଚ୍ ଗେଲଡିୟେଭ (Kerimguly Gurbangulyyevich Geldiyev), ଗଣତନ୍ତ୍ରରେ ସ୍ୱଚ୍ଛତା ଏବଂ ଡିଜିଟାଲ୍ ସଂସ୍କାର ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ଏବଂ ଏହି ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ସମସ୍ତ ପ୍ରତିନିଧିଙ୍କ ପାଇଁ ସ୍ମରଣୀୟ ହେବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସଂସଦୀୟ ବ୍ୟାପାର) ଶ୍ରୀ ସୁରେନ୍ଦ୍ର କୁମାର, ଓଡିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ନିର୍ଦ୍ଦେଶକ ପ୍ରାଇଡ ଶ୍ରୀ ପ୍ରଶାନ୍ତ ମଲ୍ଲିକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *