ଭୁବନେଶ୍ୱର,୧୩/୧୧/୨୦୨୫ (ଓଡ଼ିଶା ସମାଚାର)- ସହୋଦୟ ସ୍କୁଲ କମ୍ପ୍ଲେକ୍ସ ବିଜ୍ଞାନ ମେଳା ଡିଏଭି ପୋଖରୀପୁଟରେ ଅନୁଷ୍ଠିତ ହୋଇଯାଇଛି । ଆଇଜର ବ୍ରହ୍ମପୁରର ଏକାଡେମିକ୍ ଡିନ୍ ପ୍ରଫେସର ପ୍ରସେନ୍ ଜିତ୍ ମଣ୍ଡଲ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଉକ୍ତ ମେଳାକୁ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ଏହିଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶାର ୩୪ଟି ସ୍କୁଲର ୬୫ ଟି ପ୍ରକଳ୍ପରେ ୧୨୮ଜଣ ଛାତ୍ରଛାତ୍ରୀ ଭାଗନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ ।

ବିଜ୍ଞାନ, ସମାଜ ଓ ପରିବେଶ ଉପରେ ଆଧାରିତ ଥିଲା ଏହି ପ୍ରଦର୍ଶନୀ । ଡିଏଭି ଓଡ଼ିଶା ଜୋନ୍ ଏଫ୍ ର ସହ ଆଂଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ ଅନୁଭବାତ୍ମକ ଶିକ୍ଷା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କର ବୌଦ୍ଧିକ ବିକାଶ ଘଟି ପାରିବ ବୋଲି କହିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଗୁଡ଼ିକୁ ନାଇଜରର ଆସୋସିଏଟ୍ ପ୍ରଫେସର ତପନ କୁମାର ମିଶ୍ର, ଟିସିଏସ୍ ଭୁବନେଶ୍ୱରର ହେମନ୍ତ ରଥ, ସୋଆର ଆସୋସିଏଟ୍ ପ୍ରଫେସର ସୁପ୍ରଭ ରଞ୍ଜନ ଲାହା ଏବଂ ଇଞ୍ଜିନିୟର ଜାମି ଶ୍ରୀକାନ୍ତ ପାତ୍ର ପ୍ରମୁଖ ବିଚାରକ ରୂପେ ଅଂଶଗ୍ରହଣ କରି ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀଙ୍କ ପ୍ରକଳ୍ପଗୁଡ଼ିକୁ ମୂଲ୍ୟାୟନ କରିଥିଲେ ।
କନିଷ୍ଠ ବର୍ଗରେ ଡିଏଭି ପୋଖରୀପୁଟ ପ୍ରଥମ, ସେଣ୍ଡ ଜାଭିୟର ସ୍କୁଲ ପଟିଆ, ଦ୍ୱିତୀୟ ଏବଂ ଡିଏଭି ଚନ୍ଦ୍ରଶେଖରପୁର ସ୍କୁଲ ତୃତୀୟ ସ୍ଥାନ ଏବଂ ବରିଷ୍ଠ ବର୍ଗରେ ବିଜେଇମ୍-୨ ପ୍ରଥମ, ଡିଏଭି ଚନ୍ଦ୍ରଶେଖରପୁର ଦ୍ୱିତୀୟ ଏବଂ ଡିଏଭି ୟୁନିଟ୍-୮ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ବିଜ୍ଞାନ ବିଭାଗର ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ସାମଲ ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
