ମା’ ସମଲେଶ୍ୱରୀ ମନ୍ଦିରରେ ଭବ୍ୟ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ

କେନ୍ଦ୍ରାପଡ଼ା, ୧୮/୦୧/୨୦୨୪ (ଓଡ଼ିଶା ସମାଚାର)- ମା’ ସମଲେଶ୍ୱରୀ ମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ଚଳିତ ଜାନୁଆରୀ ୨୭ ତାରିଖରେ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶର ବିଭିନ୍ନ ଶକ୍ତି ପୀଠ ସହ ରାଜ୍ୟର ସମସ୍ତ ଜିଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଆଜି ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଗସ୍ତ କରି ମା’ ଗୋଜବାୟାଣୀ ମନ୍ଦିରକୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲା ପକ୍ଷରୁ ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୁଖ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପୁରୁଣା ବସଷ୍ଟାଣ୍ଡ ନିକଟରୁ ସେମାନଙ୍କୁ ସଂକୀର୍ତନ, ହରିବୋଲ, ହୁଳହୁଳି ଭିତରେ ପାଛୋଟି ଅଣାଯାଇଥିଲା । ସୁନ୍ଦର ମୁରୁଜ ପକାଯିବା ସହ ଶୁଭକଳସ ବସାଇ ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଶୁଭକାମନା ଜ୍ଞାପନ କରାଯାଇଥିଲା । ଅକ୍ଷତ, ଦୁବ, ଫୁଲ, ଚନ୍ଦନ ଦିଆଯାଇ ସସମ୍ମାନେ ସେମାନଙ୍କୁ ପାଛୋଟି ନିଆଯାଇଥିଲା ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହକୁ । ଅତିରିକ୍ତ ଜିଲାପାଳ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଗୋଜବାୟାଣୀ ମନ୍ଦିରର ଟ୍ରଷ୍ଟିଙ୍କ ଉପସ୍ଥିତିରେ ନିମନ୍ତ୍ରଣ ଗ୍ରହଣ କରାଯାଇଥିଲା । ସମ୍ବଲପୁରରୁ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀରେ ପୂଜକ ସଂକୀର୍ତନ ରାୟ, ଟ୍ରଷ୍ଟି ସନ୍ତୋଷ ପୃଷ୍ଟି, ସମ୍ବଲପୁର ଜିଲା ସଂସ୍କୃତି ଅଧିକାରୀ ‘କୀର ମୋହନ ମାଝି ପ୍ରମୁଖ ଅଛନ୍ତି ।

Leave a Reply

Your email address will not be published. Required fields are marked *