ସୁଭଦ୍ରା ଶକ୍ତି ମେଳା ଦ୍ଵିତୀୟ ଦିବସରେ ବିପୁଳ ଜନସମାଗମ

                                                                         ଦର୍ଶକଙ୍କୁ ଆକୃଷ୍ଟ କଲା ଲାଇଭ୍ ଡେମୋ ଷ୍ଟଲ୍

ଭୁବନେଶ୍ୱର,୦୨/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସୁଭଦ୍ରା ଶକ୍ତି ମେଳାର ଦ୍ଵିତୀୟ ସଂସ୍କରଣକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଭବ୍ୟ ଉତ୍ସବ ମାଧ୍ୟମରେ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଗତ ସନ୍ଧ୍ୟାରେ ଉଦଘାଟନ କରିଛନ୍ତି । ମେଳାର ପ୍ରମୁଖ ଆକର୍ଷଣ ମଧ୍ୟରେ ରହିଛି ୩୦୦ ମହିଳା ସ୍ୱୟଂ-ସହାୟକ ଗୋଷ୍ଠୀ ପରିଚାଳିତ ଷ୍ଟଲ, ଯାହା ମଧ୍ୟରୁ ୫୦ଟି ହେଉଛି ଖାଦ୍ୟ ଷ୍ଟଲ । ଏତଦବ୍ୟତୀତ, ଅନ୍ୟ ଏଗାରଟି ରାଜ୍ୟର ସ୍ୱୟଂ-ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦ ବିକ୍ରୟ କରୁଛନ୍ତି । ସୁଭଦ୍ରା ଶକ୍ତି ମେଳା କେବେଳ ଓଡ଼ିଶା ରାଜ୍ୟ ମଧ୍ୟରେ ସୀମିତ ନରହି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି। ଉଦଘାଟନ ଉତ୍ସବର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

    ସେହିଭଳି ଆଜିର ଦ୍ୱିତୀୟ ଦିବସ ପ୍ରାରମ୍ଭରେ ନୃତ୍ୟ ଅର୍ପଣ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ରାମନାଟ୍ୟ ପରିଷଦ ପୁରୀଙ୍କ ଦ୍ୱାରା କୃଷ୍ଣଲୀଳା ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଏହାପରେ ସ୍ୱୟଂ ପାଢୀ ଏବଂ ଦଳ ସଙ୍ଗୀତ ମାଧ୍ୟମରେ ଝୁମାଇଥିଲେ ଦର୍ଶକମାନଙ୍କୁ । ଷ୍ଟଲମାନଙ୍କରେ ଗ୍ରା mହକଙ୍କ ଅଦ୍ଭୂତପୂର୍ବ ଭିଡ଼ ସହିତ ବହୁ ପରିମାଣର ସ୍ୱୟଂ-ସହାୟକ ଗୋଷ୍ଠୀ ମାଆମାନଙ୍କ ହାତ ତିଆରି ଉତ୍କୃଷ୍ଟ ଗୁଣବତ୍ତାର ସାମଗ୍ରୀ ପ୍ରତି ଆଗ୍ରହ ବଢୁଥିବା ଦେଖା ଯାଇଛି । ଶିଶୁଙ୍କ କ୍ରୀଡ଼ାଙ୍ଗନରେ ବହୁତ ଗହଳି ସହିତ ଖାଦ୍ୟ ପ୍ରାଙ୍ଗଣର ମଜା ନେଇଥିଲେ ଦର୍ଶକ ।

ଲାଇଭ ଡେମୋ ଷ୍ଟଲ ଅଞ୍ଚଳରେ, ବିଶେଷ କରି ବିୟୁଟି ଓ ୱେଲନେସ ଷ୍ଟଲରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ମେଳାରେ ୫୦ ଲକ୍ଷରୁ ଟଙ୍କାରୁ ଅଧିକ ବ୍ୟବସାୟ ରେକର୍ଡ କରାଯାଇଛି ।  ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅଗ୍ନିଶମ, ରେଡ଼କ୍ରସ, ମେଡ଼ିକାଲ , ପାନୀୟ ଜଳ, ସ୍ବଚ୍ଛତାର ବ୍ୟବସ୍ଥା କରାଯାଇଥିଲା ।

ସ୍ଵୟଂ-ସହାୟକ ଗୋଷ୍ଠୀ ମା’ ମାନଙ୍କ ଦ୍ଵାରା ପ୍ରଦର୍ଶିତ ଲାଖ ଚୂଡ଼ି ପ୍ରସ୍ତୁତି, ଧାନ ହସ୍ତଶିଳ୍ପ, ସବାଇ ଘାସ କଳା ଏବଂ ପଟ୍ଟଚିତ୍ର  ଆଦି ପ୍ରଦର୍ଶନ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା । ଏହି ଷ୍ଟଲ ଗୁଡିକରେ ଦର୍ଶକମାନେ ଉତ୍ପାଦ ଗୁଡିକର ପ୍ରସ୍ତୁତ ପ୍ରଣାଳୀର ଜୀବନ୍ତ ପ୍ରଦର୍ଶନ ଦେଖିବାକୁ ପାଇଥିଲେ। ଏହା ସହିତ ବିଶ୍ଵ ଦକ୍ଷତା କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ବିୟୁଟି ଓ ୱେଲନେସ ଷ୍ଟଲରେ ମହିଳା ମାନଙ୍କ ପାଇଁ ନିପୁଣ ତାଲିମାର୍ଥୀମାନଙ୍କ ଦ୍ଵାରା ମେକଅପ୍, ହେୟାର ଷ୍ଟାଇଲ, ନେଲ କେୟାରର ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ରହିଥିଲା । ବୁଣାକାର ସେବା କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ହସ୍ତତନ୍ତ ଷ୍ଟଲରେ ପାରମ୍ପରିକ ପ୍ରଣାଳୀରେ ବୁଣା କାର୍ଯ୍ୟର ଜୀବନ୍ତ ପ୍ରଦର୍ଶନୀ ଦର୍ଶକଙ୍କୁ ମୋହିଥିଲା । ଦର୍ଶକମାନେ ନିଜ ମନପସନ୍ଦର ଲାଇଭ୍ ଡେମୋ ଷ୍ଟଲରେ ଦକ୍ଷ କାରିଗରଙ୍କ ମାର୍ଗଦର୍ଶନରେ ନିଜ ହାତ ଚାଳନର ସୁବର୍ଣ୍ଣ ସୁଯୋଗକୁ ଉପଭୋଗ କରିଥିଲେ । ଆସନ୍ତା ୧୨ ତାରିଖ ଯାଏ ଏହି ଉତ୍ସାହ ଜାରି ରହିବ। ଓଡ଼ିଶାର ମହିଳାମାନଙ୍କର ପ୍ରେରଣାଦାୟୀ ଉଦ୍ୟୋଗିତା ଏବଂ ସଶକ୍ତିକରଣର ଏହି ଉତ୍ସବର ଅଂଶବିଶେଷ ହେବା ପାଇଁ ଜନସାଧାରଣଙ୍କୁ ମିଶନ ଶକ୍ତି ବିଭାଗ ପକ୍ଷରୁ ଆମନ୍ତ୍ରଣ କରାଯାଉଛି ।

Leave a Reply

Your email address will not be published. Required fields are marked *