ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଦଶରଥପୁର ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ

ଦଶରଥପୁର, ୧୭/୦୧/୨୦୨୪ (ଓଡ଼ିଶା ସମାଚାର)- ବିଶ୍ଵନିୟନ୍ତା କୋଟି ବ୍ରାହ୍ମଣର ଆରାଧ୍ୟ୍ୟ ଦେବତା ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦୟର ଦେବତା ପ୍ରଭୁ ଜଗନ୍ନାଥ ଆଜି ନୂଆ ରୂପରେ ସଜେଇ ହୋଇଛନ୍ତି । ନୂଆ ବେଶବୁଷାରେ ବିରାଜମାନ ହୋଇଛନ୍ତି ପୁରୀ ଶ୍ରୀମନ୍ଦିରରେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ୟ୍ୟକ୍ରମ ପାଇଁ ଆଜି ଜଗନ୍ନାଥଧାମ ଲୋକାରଣ୍ୟ ହୋଇଉଠିଥିବା ବେଳେ ଏହି ଉତ୍ସବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏବଂ ଉତ୍ସବ ମୁଖର ହୋଇଉଠିଛି ଦଶରଥପୁର ବ୍ଲକ । ଏଥିନିମନ୍ତେ ଦଶରଥପୁର ବ୍ଲକପ୍ରଶାସନ ପକ୍ଷରୁ ଦଶରଥପୁର ସ୍ଥିତ ସାଧୁବାବାଙ୍କ ମଠରେ ଆୟୋଜିତ କରାଯାଇଛି ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ପୁରୋହିତ ଶ୍ରୀକାନ୍ତ ଶତପଥୀ, ସୁଶାନ୍ତ ଶତପଥୀ ଓ ନାରାୟଣ ଚନ୍ଦ୍ର ପଣ୍ଡାଙ୍କ ମନ୍ତ୍ରଧ୍ଵନିରେ ପ୍ରକମ୍ପିତ ହୋଇପଡୁଛି ସାଧୁବାବାଙ୍କ ମଠ ପରିଷର । ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଯଜ୍ଞରେ ଦଶରଥପୁର ବ୍ଲକର ବିଡ଼ିଓ ଆକାଶ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ଅଙ୍କିତା ବାରିକ ସଂକଳ୍ପ କରିବା ସହ ସମଗ୍ର ଦଶରଥପୁରବାସୀଙ୍କ ପାଇଁ ଶୁଭମନାସିଛନ୍ତି । ସମ୍ପୂର୍ଣ ନୀତି କାନ୍ତିରେ ଚାଲିଛି ଯଜ୍ଞ । ଭକ୍ତଙ୍କ ଗହଳିରେ ଫାଟିପଡୁଛି ଏହି କାଯ୍ୟକ୍ରମ ସ୍ଥାନରେ । ସମସ୍ତଙ୍କ ମୁଁହରେ ଶୁଣିବାକୁ ମିଳୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ । ଏହା ସହ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ କାର୍ୟ୍ୟକ୍ରମ ଏଲଇଡ଼ ମାଧ୍ୟମରେ ପ୍ରଦର୍ଶନ ହେଉଥିବା ବେଳେ କୀର୍ତନମଣ୍ଡଳୀଙ୍କ ନାମ ସଂକୀର୍ତନ ସହ ଓଡିଶୀ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ବେଶ ଆକୃଷ୍ଟ କରିଥିଲା ଭକ୍ତମାନଙ୍କୁ । ଉକ୍ତ କାର୍ୟ୍ୟକ୍ରମରେ ଯାଜପୁରର ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରି ଦାସ,ଦଶରଥପୁର ବ୍ଲକର ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ,ବାଚସ୍ପତିଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ବ୍ଲକର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ । ଶେଷରେ ଜୟଶ୍ରୀ ଧଳ ମେଲୋଡି ପାର୍ଟି ପକ୍ଷରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଦଶରଥପୁର ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ରାହାସ ବିହାରୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *