‘ସାହିତ୍ୟ ଓ ସଂସ୍କୃତି ବିକଶିତ ସଭ୍ୟତାର ଲକ୍ଷଣ,ସତ୍ସାହିତ୍ୟ ମଣିଷର ଆତ୍ମାର ସ୍ୱର ହୋଇଥାଏ’:ପଦ୍ମଭୂଷଣ ପ୍ରତିଭା ରାୟ
ଭୁବନେଶ୍ୱର, ୧୪/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଯେକୌଣସି ବିକଶିତ ସଭ୍ୟତା ସାହିତ୍ୟ ଓ ସଂସ୍କୃତିକୁ ନେଇ ଗର୍ବ କରିଥାଏ । ସେହିପରି ସତ୍ ସାହିତ୍ୟ ସବୁବେଳେ ମଣିଷର ଆତ୍ମାର ସ୍ୱରକୁ ଉପସ୍ଥାପନ କରିଥାଏ । ଏହା ମଣିଷପଣିଆର ଜୟଗାନ କରେ । ପ୍ରକୃତ ସାହିତ୍ୟ ଯେତେ ପରୀକ୍ଷାନିରୀକ୍ଷା ହେଉ ମଧ୍ୟ ଚେତନା ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରସିଦ୍ଧ ସାହିତି୍ୟକା ପଦ୍ମଭୂଷଣ ଡ. ପ୍ରତିଭା ରାୟ ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନରେ ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ରାୟ କହିଲେ ଯେ ଆମ ସଂସ୍କୃତିରେ ବାର ମାସରେ ତେର ପର୍ବ ପରି ସାହିତ୍ୟ ପର୍ବ ଆଉ ଏକ ସଂଯୋଜନା । ସୁତରାଂ, ସାହିତ୍ୟ ପର୍ବରେ ଆମର ସାଂସ୍କୃତିକ ପରିଚୟକୁ ପ୍ରକାଶ କରିବା ନିମନ୍ତେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ସେ ଆୟୋଜକ ଅନୁଷ୍ଠାନ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ଲେଖକ ଓ ସ୍ତମ୍ଭକାର ଦାଶ୍ ବେନ୍ହୁର ସାହିତ୍ୟର ଭୂମିକା ଓ ଲେଖକର ସାମାଜିକ ଦାୟବଦ୍ଧତା ଉପରେ ଆଲୋକପାତ କରିଥିବାବେଳେ ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ବସନ୍ତ କୁମାର ପଣ୍ଡା ଓଡ଼ିଆ ସାହିତ୍ୟର ବିଶାଳ ପରମ୍ପରା ଓ ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଉଭୟ ଅତିଥି ଶ୍ରୀ ଦାଶ୍ ବେନ୍ହୁର ଓ ପ୍ରଫେସର ପଣ୍ଡା ସମକାଳୀନ ସାହିତି୍ୟକମାନଙ୍କୁ ଅଧିକତର ଅଧ୍ୟୟନ ଓ ସମାଜନିଷ୍ଠ ହେବାକୁ ପରାମର୍ଶ ଦେଇଥିଲେ ।
ଅନୁଷ୍ଠାନର ସଭାପତି ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ କବି ମନୋରଞ୍ଜନ ପାଣିଗ୍ରାହୀଙ୍କୁ ‘କୈଳାସ ଲେଙ୍କା ସୃଜନ ସମ୍ମାନ’ ଓ ପ୍ରଫେସର ଚକ୍ରଧର ବେହେରାଙ୍କୁ ‘ଦିନନାଥ ପାଠୀ ଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ‘କବିତା-୨୦୨୫’, ସାହିତ୍ୟ ପର୍ବ ସ୍ମରଣିକା ‘ଆସର’ ଓ କୁମୁଦିନୀ ଜୀଙ୍କ ଲିଖିତ କବିତା ପୁସ୍ତକ ‘ଘୁଙ୍ଘୁର କାହିଁକି ବାନ୍ଧିନି ମୁଁ’ ଲୋକାର୍ପିତ ହୋଇଥିଲା । ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ଯୁବଲେଖକ ଅଂଶୁମାନ ସାହୁ ସଂଯୋଜନା କରିଥିଲେ । ସମ୍ପାଦିକା ସୋନାଲି ମହାପାତ୍ର ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ମୌସୁମୀ ଦାସ ଓ ଶୈଳେନ୍ଦ୍ର କୁମାର ଜେନା ମାନପତ୍ର ପାଠ କରିଥିବାବେଳେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦ୍ଘାଟନ ଉତ୍ସବ ପରେ ପରେ ‘ଭାରତୀୟତା: ନୂଆ ସମୟ, ନୂଆ ଭୂମିକା’ ପ୍ରସଙ୍ଗ ଉପରେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପ୍ରାକ୍ତନ ପ୍ରଶାସକ କଲ୍ୟାଣ ରାୟ, ସ୍ତମ୍ଭକାର ସୌମେନ୍ଦ୍ର ଜେନା ଓ ଲେଖିକା ନବଜ୍ୟୋତି ରାୟ ବକ୍ତବ୍ୟ ରଖିଥିବାବେଳେ ଅଧ୍ୟାପକ ନେତାଜୀ ଅଭିନନ୍ଦନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ନୃତ୍ୟଗୁରୁ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତିଙ୍କ ସହିତ ଏକ ଅନ୍ତରଙ୍ଗ ଆଳାପ କରିଥିଲେ ବିଶିଷ୍ଟ ଲେଖିକା ଅଧ୍ୟାପିକା ହିରଣ୍ମୟୀ ମିଶ୍ର । ପରେ ପରେ ଭଏସ୍ ଆର୍ଟିଷ୍ଟମାନଙ୍କୁ ନେଇ ‘ନେପଥ୍ୟରୁ ସ୍ୱର: କଣ୍ଠ କାରିଗର’ ବିଷୟ ଉପରେ ବୃତ୍ତିଗତ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ସଂଗୀତକାର ଶରତ ନାୟକ, ଭଏସ୍ ଆର୍ଟିଷ୍ଟ ରାକ୍ଷୀ ଦାଶ ଓ ସୁଧାକର ଦାସ । ଅପରାହ@ରେ ‘ଓଡ଼ିଆ ସଂଗୀତ ଓ ଲୋକସଂସ୍କୃତି’ ପ୍ରସଙ୍ଗ ନେଇ ଅନୁଷ୍ଠିତ ଆଲୋଚନା ସଭାରେ ସୁଗାୟିକା ଡ. ଆଦ୍ୟାଶା ଦାସ, ସୁସ୍ମିତା ଦାସ, ମହାପ୍ରସାଦ କର ଓ ଅନିନ୍ଦିତା ଦାସ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ବିଶିଷ୍ଟ ସିନେ ସମୀକ୍ଷକ ଓ ଗବେଷକ ଡ.ସୂର୍ଯ୍ୟ ଦେଓ ସଂଚାଳନ କରିଥିଲେ ।
ପ୍ରସିଦ୍ଧ କବି ପ୍ରଫେସର ଡ. ସୌଭାଗ୍ୟ କୁମାର ମିଶ୍ରଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ସମକାଳର ଯୁବକବିଙ୍କ ସ୍ୱର ‘ଓଡ଼ିଆ କବିତାରେ ନବତରଙ୍ଗ’ । ଏଥିରେ ନବପ୍ରଜନ୍ମର କବି ଜିତୁ ପ୍ରଧାନ, ସୁମିତ୍ ପଣ୍ଡା, ତୃପ୍ତି ରଞ୍ଜନ ଦାସ, ଜ୍ୟେତି ରଞ୍ଜନ ବାରିକ, ସଂଗ୍ରାମ ମହାରଣା, ଅଂଶୁମାନ ସାହୁ (ଖ), ଐଶ୍ୱର୍ଯ୍ୟା ରାଉତ, ଶୀତଲ ମିଶ୍ର, ସଂଘମିତ୍ରା ଭୂତିଆ, ଅଂଶୁମାନ ଜେନା, ନିହାର ରଞ୍ଜନ ପରିଡ଼ା, ଶିବ ଚରଣ ମହାପାତ୍ର, ସ୍ଥିତିପ୍ରଜ୍ଞା ସାହୁ, ସ୍ରୋତସ୍ୱିନୀ ପରିଡ଼ା, ରଶ୍ମିତା ବେହେରା, ବେଦପ୍ରକାଶ ନାୟକ, ଡ. ସୁବ୍ରତ ସେନାପତି, ଗୌରୀ ସାହୁ, ମନିଷା ବିଶ୍ୱାଳ ଓ ନାରାୟଣ ସହୁ ପ୍ରମୁଖ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଂଶୁମାନ ସାହୁ ।
ସନ୍ଧ୍ୟାରେ କଳାତ୍ମକ ଓଡ଼ିଆ ସିନେମା ‘ଧାରେ ଆଲୁଅ’ର ପର୍ଦ୍ଦାୟନ ହୋଇଥିଲା । ସୂର୍ଯ୍ୟମଣି ତି୍ରପାଠୀ ଅତିଥି ଭାବେ ଯୋଗଦେଇଥିଲେ ।
ସାହିତ୍ୟ ପର୍ବର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ, ଡ. ନନ୍ଦକିଶୋର ବିଶ୍ୱାଳ, ଡ. ପ୍ରଦୀପ୍ତ ବାରିକ, ଉପସଭାପତି ମିନତି ଦାସ, ସଂଜୟ ମହାନ୍ତି, ବିଧୁଭୂଷଣ ତି୍ରପାଠୀ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ସାହିତ୍ୟ ପର୍ବ ଉଦ୍ଯାପିତ ହେବ ।
