ଯାଜପୁର ଜିଲ୍ଲାରେ ତମାଖୁ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରୟ ବିରୁଦ୍ଧରେ ମିଳିତ ଅଭିଯାନ।

ଯାଜପୁର, ୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାରେ ତମାଖୁ  ବିକ୍ରୟ ବିରୁଦ୍ଧରେ ଏବଂ ଖାଦ୍ୟ ସୁରକ୍ଷା ନିଶ୍ଚିତିକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ଡ୍ରଗ୍ସ କଣ୍ଟ୍ରୋଲର, ଡ୍ରଗ୍ସ ଇନ୍ସପେକ୍ଟର ରେଞ୍ଜ–୧ ଓ ରେଞ୍ଜ–୨, ପୋଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ପାଣିକୋଇଲି, ଧର୍ମଶାଳା, ବଡ଼ଚଣା, ଚଣ୍ଡିଖୋଲ ଓ ମହାବିନାୟକ ନିକଟସ୍ଥ ସ୍କୁଲ ଓ କଲେଜ ପରିସରରେ ଚଢାଉ କରାଯାଇଥିଲା।

ସେଠାରେ ଶିକ୍ଷା ପ୍ରତିଷ୍ଠାନ ନିକଟରେ ଅବୈଧ ଭାବେ ତମାଖୁ ଓ  ଏଥି ସହିତ ସମ୍ବନ୍ଧିତ ପଦାର୍ଥ ବିକ୍ରୟ କରୁଥିବା ଦୋକାନଗୁଡ଼ିକରେ ଚଢ଼ାଉ କରାଯାଇଥିଲ। ଚଢ଼ାଉ ସମୟରେ ବିଭିନ୍ନ ଦୋକାନରୁ ନିୟମ ଉଲଂଘନ ପାଇଁ ମୋଟ ୪,୮୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିଲା।

ଏହି କାର୍ଯ୍ୟାନୁଷ୍ଠାନ କୋଟପା(COTPA) ଏନଫୋର୍ସମେଣ୍ଟ ଅଧିନସ୍ଥ “ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦” ଓ “ତମାଖୁ ମୁକ୍ତ ଶିକ୍ଷା ପ୍ରତିଷ୍ଠାନ କାର୍ଯ୍ୟକ୍ରମ” ଅଧୀନରେ କରାଯାଇଥିଲା।

ଏହା ସହିତ, ଉକ୍ତ ଦିନ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଜାରକା ଧର୍ମଶାଳା ଓ ବଡଚଣା ଅଞ୍ଚଳରେ ବିଶେଷ ଚଢ଼ାଉ କାର୍ଯ୍ୟକ୍ରମ ହୋଇଥିଲା। ଏହି ସମୟରେ ଖାଦ୍ୟ ବ୍ୟବସାୟୀମାନଙ୍କୁ ଖାଦ୍ୟ ସୁରକ୍ଷା ଓ ପରିସ୍କାର ପରିଚ୍ଛନ୍ନତା ନିୟମ ବିଷୟରେ ସଚେତନ କରାଯାଇଥିଲା। ପ୍ରାୟ ୬୦ କିଲୋଗ୍ରାମ ଅପରିଷ୍କୃତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ନଷ୍ଟ କରିଦିଆଯାଇଥିଲା ଏବଂ ଯେଉଁ ବ୍ୟବସାୟୀମାନେ ଖାଦ୍ୟ ସୁରକ୍ଷା ଲାଇସେନ୍ସ ବିନା କାରବାର କରୁଥିଲେ ସେମାନଙ୍କୁ ନୋଟିସ ଜାରି କରାଯାଇଛି।

ଏହି ଚଢ଼ାଉରେ ଡ୍ରଗ୍ସ କଣ୍ଟ୍ରୋଲର ଶ୍ରୀ ସଞ୍ଜୟ କୁମାର ହାନ୍ସଦା, ଡ୍ରଗ୍ସ ଇନ୍ସପେକ୍ଟର ରେଞ୍ଜ–୧ ଓ ୨, ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ରାକେଶ କୁମାର ସାହୁ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ପରାମର୍ଶଦାତ୍ରୀ ଶ୍ରୀମତୀ ସସ୍ମିତା ରାଉତ, ପାଣିକୋଇଲି ଓ ଚଣ୍ଡିଖୋଲ ପୋଲିସ କର୍ମଚାରୀ ଏବଂ ଯାଜପୁର ରୋଡ଼ ଓ ଧର୍ମଶାଳା ଅବକାରୀ ବିଭାଗ ଟିମ୍ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *