କେନ୍ଦ୍ରାପଡା ପୌର ପରିଷଦ ବୈଠକ

କେନ୍ଦ୍ରାପଡ଼ା,୨୭/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରପରିଷଦ ବୈଠକ ସୋମବାର ପୌର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୌରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌରାଂଚଳକୁ ସଂପ୍ରସାରିତ କରିବା ପାଇଁ ଏକ ପ୍ରସ୍ତାବ ଗୃହିତ ହୋଇଛି । କାରଣ ପୌରାଂଚଳର ସିମିତ ଅଂଚଳରେ ଥିବା ଜମିିରେ ସରକାରୀ କାର୍ଯ୍ୟାଳୟ ଓ ବାସଗୃହ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ସ୍ଥାନାଭାବ ରହିିଛି ।

ଅପରପକ୍ଷରେ ଗ୍ରାମାଂଚଳରେ ପର୍ଯ୍ୟାପ୍ତ ସ୍ଥାନ ରହିଥିବାରୁ କାର୍ଯ୍ୟାଳୟ ଏବଂ ବାସଗୃହ ନିର୍ମାଣ ହୋଇପାରିବା ସହ ସେହି ଅଂଚଳରେ ବ୍ୟବସାୟ ନିମନ୍ତେ ଦୋକାନ ଗୃହ ନିର୍ମାଣ କରାଯାଇ ପୌର ପରିଷଦର ଆୟ ମଧ୍ୟ ବୃଦ୍ଧି ହୋଇପାରିବ । ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ରାପଡ଼ା ପୌରାଂଚଳ ଚତୁପାଶ୍ୱର୍ରେ ଥିବା ଶ୍ୟାମସୁନ୍ଦରପୁର, ଜମଧର, ଗୁଲନଗର, କପାଳେଶ୍ୱର, ଓସ୍ତପୁର ପଂଚାୟତ ସମେତ ଶ୍ୟାମଗୁଡିଆକୁ ପୌରାଂଚଳରେ ମିଶ୍ରଣ କରିବାକୁ ଏହି ପୌରପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଛି ।

ଏହାବ୍ୟତୀତ ପୌରାଂଚଳରେ ନୂତନ ଭାବେ ୩ଶହ ଦୋକାନ ଗୃହ ନିର୍ମାଣ କରାଯିବାକୁ ବୈଠକରେ ନିଷ୍ପତି ହୋଇଛି । ଏହି ଦୋକାନଗୃହ ଇଚ୍ଛାପୁର, ବଡ଼ମଙ୍ଗଳା, ନୂଆ ବସଷ୍ଟାଣ୍ଡ ଓ ତିନିମୁହାଣୀ ଠାରେ ନିର୍ମାଣ କରାଯିବ । ପୁରାତନ ପାର୍କ ଗୁଡିକର ଉନ୍ନତିକରଣ କରାଯିବା ସହିତ ଗୋପ ଠାରେ ବଳଦେବଜୀଉ ପାଠାଗାର ନିର୍ମାଣ ଓ ପୌରାଂଚଳର ସମସ୍ତ ଗଳିକନ୍ଦି ରାସ୍ତା ନିର୍ମାଣ ହେବ ।

ତିନିମୁହାଣୀ-ନୂଆବସଷ୍ଟାଣ୍ଡ ରାସ୍ତାର ଦୋହରୀକରଣ କରାଯିବା ସହ ଉଦୟନଗରସ୍ଥିତ କଲ୍ୟାଣ ମଣ୍ଡପର ଉନ୍ନତିକରଣ କରାଯିବ । ଗୋପବନ୍ଧୁ ପାଠାଗାର ଓ ଉଦ୍ଧ୍ୱର୍ ପାଠାଗାରର ଉନ୍ନତିକରଣ କରାଯିବାକୁ ନିଷ୍ପତି ହୋଇଛି ।

ଆଜିର ଏହି ବୈଠକରେ ଉପାଧ୍ୟକ୍ଷା ଆକବରୀ ଖାତୁନଙ୍କ ସମେତ ପୌରସଭ୍ୟ ପ୍ରଭାଶିଷ ପଣ୍ଡା, ନିରାକାର ସ୍ୱାଇଁ, ପ୍ରଦୀପ ଜେନା, ପୁଷ୍ପାଞ୍ଜଳୀ ବସ୍ତିଆ, ଉମେଶ ନାୟକ, କାଳୀ ପ୍ରସାଦ ମିଶ୍ର, ରମେଶ ଦାସ, ସେକ ଅସଲମ, ଜୟନ୍ତୀ ପାଣି, ରଞ୍ଜିତା ସିଂ, ସୁକୁମାର ଦାସ ପ୍ରମୁଖ ସମସ୍ତ ପୌରସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୌର ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରି ଗତ ବୈଠକର ବିବରଣୀ ପାଠ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *