ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରସାର ପାଇଁ ଅଭିନବ ପଦକ୍ଷେପ

                                              ବାଲିଯାତ୍ରାରେ ବଣ୍ଟନ ପାଇଁ  ପୁସ୍ତକ ସଂଗ୍ରହ
କଟକ,୨୬/୧୦/୨୦୨୫(ଓଡ଼ିଶା ସମାଚାର)- ଜ୍ଞାନର ପରିସୀମା ପରିବ୍ୟାପ୍ତ ହେଉ । ସମସ୍ତଙ୍କ ମଧ୍ୟରେ ପୁସ୍ତକ ପଠନର ଆଗ୍ରହ ବଢ଼ୁ । ଓଡ଼ିଆ ଭାଷା, ସାହିତ୍ୟ ଓ କାଳଜୟୀ ପୁସ୍ତକଗୁଡ଼ିକ ବିଷୟରେ ଯୁବପିଢ଼ି ଜାଣନ୍ତୁ । ଏହି ଉଦ୍ଧେଶ୍ୟ ନେଇ ଐତିହାସିକ ବାଲିଯାତ୍ରା କଟକ ଉପଲକ୍ଷେ କଟକ ଜିଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି ‘ପୁସ୍ତକ ସଂଗ୍ରହ କେନ୍ଦ୍ର’ । କଟକ ସହରର ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ନେତାଜୀ ସ୍ମାରକୀ, କଟକ ମହାନଗର ନିଗମ ନିକଟସ୍ଥ କଲ୍ୟାଣ ମଣ୍ଡପ ଓ ବାରବାଟୀ ପ୍ୟାଲେସ୍ ଠାରେ ପୁସ୍ତକ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି ।

ଏହାଛଡ଼ା ଜିଲାର ବିଭିନ୍ନ ବ୍ଲକ ଓ ତହସିଲ ତଥା କିଛି ସ୍କୁଲରେ ମଧ୍ୟ ଏହି କେନ୍ଦ୍ର ଖୋଲାଯାଇଛି । ପୁସ୍ତକ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ପୁସ୍ତକ ଦାନ ନିମନ୍ତେ ଲୋକମାନଙ୍କର ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି । ବାଲିଯାତ୍ରା ସମୟରେ ସାଧାରଣ ପାଠକମାନଙ୍କୁ ବିନା ମୂଲ୍ୟରେ ଏହା ବଂଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ମହତ୍ ଉଦ୍ଧେଶ୍ୟ ପାଇଁ ପୁସ୍ତକ ଦାନ କରୁଥିବା ଦାତାମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପ୍ରଶଂସାପତ୍ର ମଧ୍ୟ ପ୍ରଦାନ କରାଯାଉଛି । ଜିଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ ଜିଲାପାଳ କାର୍ଯ୍ୟାଳୟଠାରେ ଖୋଲାଯାଇଥିବା ପୁସ୍ତକ ଗ୍ରହଣ ଶିବିରରେ ପୁସ୍ତକ ଦାନ କରି ଏହି ଅଭିଯାନ ଓଡ଼ିଆ ପାଠକମାନଙ୍କୁ ସହାୟକ ହୋଇପାରିବ ବୋଲି କହିଛନ୍ତି ।

ଏହି କେନ୍ଦ୍ରରେ ଅତିରିକ୍ତ ଜିଲାପାଳ ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲାପାଳ ଡ. ଇସ୍ପିତା ପି୍ରୟଦର୍ଶିନୀ ମିଶ୍ର, କିଛି ପୁସ୍ତକ ପ୍ରକାଶନ ସଂସ୍ଥା, ବରିଷ୍ଠ ମହିଳା ରେବତୀ ଦାସ ପ୍ରମୁଖ ପୁସ୍ତକ ଦାନ କରି ଏହି ମହତ କାର୍ଯ୍ୟରେ ନିଜର ଯୋଗଦାନ ରଖିଛନ୍ତି । ବାଲିଯାତ୍ରାରେ ବହୁ ସଂଖ୍ୟାରେ ଜନ ସମାଗମ ହେଉଥିବାରୁ ପୁସ୍ତକ ବଂଟନ କରି ଲୋକଙ୍କ ମଧ୍ୟରେ ପଠନ ପ୍ରତି ଆଗ୍ରହ ସୃଷ୍ଟି କରାଯାଇପାରିବ ବୋଲି ଜିଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *