କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ମେଲଣ – ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା,୧୩/୧୦/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ରବିବାର ଶେଷ ହୋଇଥିବା ବେଳେ ସୋମବାର ମହା ଆଡମ୍ବରରେ ମେଲଣ ଉତ୍ସବ ଆରମ୍ଭ ହୋଇଛି । ମା’ ଲକ୍ଷ୍ମୀ ମଣ୍ଡପ ଛାଡି ମେଳଣ ପଡିଆ ଅଭିମୁଖେ ଯାତ୍ରା କରିଛନ୍ତି । ବିଳମ୍ବିତ ରାତି ସୁଦ୍ଧା ସମସ୍ତ ମେଢ ମେଳଣ ପଡିଆରେ ପହଂଚି ପାରି ନଥିବାରୁ ଭୋଗଲାଗି ହୋଇ ପାରି ନାହିଁ । ମଙ୍ଗଳବାର ମା’ ଲକ୍ଷ୍ମୀ ଗୋବରୀ ନଦୀରେ ବିସର୍ଜିତ ହେବେ । ଏ ନେଇ ପୌରସଂସ୍ଥା ପକ୍ଷରୁ ଗୋବରୀ ନଦୀ ଓ ଗୋବରୀ କେନାଲରେ ବିସର୍ଜନ ଘାଟ ପ୍ରସ୍ତୁତ କରାଯାଇଛି । ମେଢଗୁଡିକୁ ବିସର୍ଜିନ କରିବା ସମୟରେ ସୁରକ୍ଷା ବାଡ ଦିଆଯାଇଛି । ଏହାଦ୍ୱାରା କୌଣସି ଅଘଟଣ ଘଟିବାର ଆଶଙ୍କା ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରାପଡ଼ା ସହର ଓ ଉପକଣ୍ଠ ଗ୍ରାମର ବିଭିନ୍ନ ମଣ୍ଡପରେ ମା’ଲକ୍ଷ୍ମୀ ୭ ଦିନ ପୂଜା ପାଇବା ପରେ ରବିବାର ରାତିରେ ମା’ଙ୍କ ମଣ୍ଡପରେ ବିସର୍ଜନ ନୀତି ଅନୁଷ୍ଠିତ ହୋଇଥିଲା ।

ସୋମବାର ସକାଳୁ ୪୮ଟି ମେଢ ମେଲଣ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମେ ପୁରୁଣା ବସଷ୍ଟାଣ୍ଡର ଥାନପତି ମେଢ ମଣ୍ଡପ ଛାଡି ସାହି ବସ୍ତି ବୁଲି ଭୋଗ ଖାଇଥିଲେ । ଏହାପରେ ଫେରି ପୁନର୍ବାର ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଳଣ ପଡିଆରେ ଅଧିଷ୍ଠିତ ହୋଇଥିଲେ । ପରେ ନୂଆବସଷ୍ଟାଣ୍ଡର ଥାନପତି ମେଢ, ୩ ନମ୍ବରରେ କାକଟ ମଙ୍ଗଳା ମେଢ ମେଳଣ ପଡିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ପ୍ରଶାସନିକ ବ୍ୟବସ୍ଥାର ଧର୍ମଗୁଳା ମୁତାବକ ମେଢ ଗୁଡିକ ପଛକୁ ପଛ ସହରର ପୂର୍ବ ଓ ପଶ୍ଚିମ ପଟକୁ ଶୋଭାଯାତ୍ରାରେ ମେଳଣ ପଡିଆକୁ ବାହାରିଥିଲେ । ପ୍ରଶାସନ ଓ ପୋଲିସର ସମସ୍ତ ବାରଣ ସତ୍ୱେ ମେଲଣ ଶୋଭାଯାତ୍ରାରେ ଯାଉଥିବା ମେଢ ଗୁଡିକ ସହିତ ଡିଜେ ଓ ଭାଇବ୍ରେଟର ବ୍ୟବହାର ହେଉଥିବା ଦେଖିବାକୁ ମିଳିଥିଲା । ଏସବୁର ବ୍ୟବହାର ଫଳରେ ଦୋକାନ ଗୁଡିକ ଦୋହଲି ଉଠୁଥିବା ବେଳେ ବୟସ୍କ ଓ ରୋଗୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ସମସ୍ତ ନୀତି ନିୟମକୁ ବଳି ଦିଆଯାଇ ଗଜଲକ୍ଷ୍ମୀ ମେଲଣ ଶୋଭାଯାତ୍ରାରେ ଏଭଳି ଭାବରେ ଡିଜେ ଓ ଭାଇବ୍ରେଟର ବ୍ୟବହାର ହେବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଥିଲା । ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଆଡମ୍ବରପୂର୍ଣ୍ଣ ବାଜା ଓ ଆଲୋକ ସଜା ମେଢ ଶୋଭାଯାତ୍ରାରେ ସାମିଲ ହୋଇଥିଲା । ବାଜା ଲାଇଟ୍ ସାଙ୍ଗକୁ ବିଭିନ୍ନ ଢଙ୍ଗର ନୃତ୍ୟଗୀତ ଭଷାଣୀ ଉତ୍ସବକୁ ରଙ୍ଗୀନ କରିଥିଲା । ଚାରିଧାମ ସିନେମାର କେରେକେରା ଗୀତ ଓ ଚାଲେଞ୍ଜ ସିନେମାର ଭାଙ୍ଗ ଗୀତର ତାଳେ ତାଳେ ପୂଜା କମିଟିର ଯୁବକମାନେ ନାଚି ମତୁଆଲା ହୋଇଥିଲେ । ଭଷାଣୀକୁ ଉପଭୋଗ କରିବା ପାଇଁ ସହରରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ।

ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ କୋଠା ଉପରେ ଲୋକମାନେ ଭଷାଣୀ ଶୋଭାଯାତ୍ରାକୁ ଉପଭୋଗ କରିଥିଲେ । ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ୩୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହୋଇଥିଲେ । ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନେତୃତ୍ୱରେ ପୋଲିସ ବାହିନୀମାନେ ସଜାଗ ରହି ଭଷାଣୀ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । ଏହି ମେଲଣ ଶୋଭାଯାତ୍ରାକୁ ସୁନିୟନ୍ତ୍ରିତ କରିବାରେ କେନ୍ଦ୍ରାପଡ଼ା ଟାଉନ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସାଦା ପୋଷାକ ଏବଂ ବଡି କ୍ୟାମେରା ଲଗାଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଭିଡ଼ରେ ରହି ବିଶୃଙ୍ଖଳାକାରୀଙ୍କ ଉପରେ ତୀକ୍ଷ୍ମଣ ନଜର ରଖିଥିଲେ ।

Leave a Reply

Your email address will not be published. Required fields are marked *