ଭୁବନେଶ୍ୱର,୦୨/୧୦/୨୦୨୫ (ଓଡ଼ିଶା ସମାଚାର)- କ୍ରୀଡ଼ା ବର୍ଷ୨୦୨୫-୨୬ ପାଇଁ ଓଡ଼ିଶାରଣଜୀ ଟିମ୍ ଘୋଷଣା କରାଯାଇଛି ।ଓଡ଼ିଶା ବରିଷ୍ଠ ପୁରୁଷ ଚୟନ କମିଟିର ସଦସ୍ୟ ରଜିତ ମହାପାତ୍ର, ଅବକାଶ ଖୁଂଟିଆ ଓ ଶୁଭ୍ରଜିତ ସାହୁ ୩ଟି ମ୍ୟାଚ୍ ପାଇଁ୧୫ ଜଣିଆ ଟିମ୍ ଘୋଷଣା କରିଛନ୍ତି । ଏହି ଟିମ ରେ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି ।
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ର ସଂପାଦକ ସଂଜୟ ବେହେରା ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଛନ୍ତି । ସୂଚନାଯୋଗ୍ୟ ରଣଜୀ ଟ୍ରଫିର କ୍ରୀଡ଼ା ସୂଚୀ ଅନୁସାରେ ଓଡ଼ିଶା ଓ ଭଦୋଦରା ମଧ୍ୟରେ ଆସନ୍ତା ୧୫-୧୮ ତାରିଖରେ ମ୍ୟାଚ୍ ଖେଳାଯିବ । ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍ ର ଆୟୋଜନ ହେବ ।
ଅକ୍ଟୋବର ୨୫-୨୮ରେ ଉତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ଓଡ଼ିଶା ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏଥିରେ ଉତରପ୍ରଦେଶକୁ ଓଡ଼ିଶା ଭେଟିବ । ସେହିପରି ଓଡ଼ିଶା ଟିମ୍ ପରବର୍ତୀ ମ୍ୟାଚ ବାରବାଟୀରେ ଖେଳିବ । ନଭେମ୍ବର ୧-୪ ତାରିଖରେ ଆନ୍ଧ୍ର ପ୍ରଦେଶକୁ ଭେଟିବ । ଓଡ଼ିଶା ଟିମ୍ ନଭେମ୍ବର ୮-୧୧ରେ ବିଦର୍ଭ, ନଭେମ୍ବର ୧୬-୧୯ରେ ନାଗାଲାଣ୍ଡ, ୨୦୨୬ ଜାନୁଆରୀ ୨୨- ୨୫ରେ ତାମିଲନାଡୁ ଓ ଜାନୁଆରୀ ୨୯-ଫେବ୍ରୁଆରି ୧ ଯାଏଁ ଝାଡ଼ଖଣ୍ଡକୁ ଭେଟିବ ।
ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ଯେ, ରସନାରା ପରୱିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ଭାରତୀୟ ଟିମ୍ ରେ ସାମିଲ ହୋଇ ଗୋଟିଏ ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶା କ୍ରିକେଟ୍ ପାଇଁ ତାଙ୍କର ସ୍ମରଣୀୟ ଅବଦାନ ରହିଛି ।
