ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶାରେ ଲାଗୁ ହେବ ଏସଆଇଆର

ପ୍ରସ୍ତୁତିର ସମୀକ୍ଷା କଲେ ସିଇଓ
ଭୁବନେଶ୍ୱର,୨୭/୦୯/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟର ସମସ୍ତ ଜିଲା ନିର୍ବାଚନ ଅଧିକାରୀ ଏବଂ ଜିଲାପାଳ ମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଗାମୀ ନିର୍ବାଚନ ତାଲିକାର ବିଶେଷ ସଘନ ସଂଶୋଧନ (ଏସଆଇଆର) ୨୦୨୬ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କ୍ଷେତ୍ରସ୍ତରୀୟ କାର୍ୟ୍ୟାନ୍ୱୟନର ବର୍ତମାନର ସ୍ଥିତି ଏବଂ ବିଶେଷ ସଘନ ସଂଶୋଧନର ସୁଗମ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ସମସ୍ତ ସ୍ତରରେ ନିର୍ବାଚନ ଆୟୋଗ ଦ୍ୱାରା ନିୟମିତ ଭାବରେ ଦିଆଯାଉଥିବା ନିର୍ଦେଶନାମାର ସମୟୋଚିତ ଅନୁପାଳନ ଏବଂ ଅନ୍ୟାନ୍ୟ ପ୍ରସ୍ତୁତିର କ୍ରିୟାଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ୨୦୦୨ ଏବଂ ୨୦୨୫ ନିର୍ବାଚନ ତାଲିକା ମଧ୍ୟରେ ତୁଳନାତ୍ମକ ସ୍ଥିତି ଏବଂ ସାରାଂଶ ରିପୋର୍ଟ ଦାଖଲ , ୨୫.୦୯.୨୦୨୫ ତାରିଖ ସୁଦ୍ଧା ଫର୍ମ ୬, ୭, ଏବଂ ୮ ର ବିସ୍ଥାପନ , ବିଶେଷ ସଘନ ସଂଶୋଧନ ସୂଚୀ ଘୋଷଣା ପରେ ତୁରନ୍ତ ପରିଗଣନା ଫର୍ମ ମୁଦ୍ରଣ ଏବଂ ସେଗୁଡ଼ିକର ବୁଥ୍ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ବଂଟନ ପାଇଁ ଯୋଜନା ପ୍ରସ୍ତୁତ କରିବା , ଜିଲା ନିର୍ବାଚନ ଅଧିକାରୀ ଏବଂ ଜିଲାପାଳ ମାନଙ୍କ ଦ୍ୱାରା ନିର୍ବାଚନ କାର୍ୟ୍ୟକଳାପ ସହ ଜଡ଼ିତ ଖାଲି ପଦବୀ ପୂରଣ କରିବା, ନିର୍ବାଚକ ପଞ୍ଜୀକରଣ ଅଧିକାରୀ /ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଙ୍କ କାର୍ୟ୍ୟାଳୟରୁ ଏ ସମ୍ପର୍କିତ ଆବଶ୍ୟକୀୟ ସାମଗ୍ରୀର ପରିବହନ ଏବଂ ମାନବ ସମ୍ବଳ ସହାୟତାରେ ସ୍ଥିରୀକୃତ ସ୍ଥାନରେ ପରିଗଣନା ଫର୍ମ ଅପଲୋଡ୍ କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ସହଯୋଗ ନେଇ ବୈଠକରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *