ରାଇରଙ୍ଗପୁରରେ ହେବ ଆୟୁର୍ବେଦିକ କଲେଜ

ଭୁବନେଶ୍ୱର,୨୩/୦୯/୨୦୨୫ (ଓଡ଼ିଶା ସମାଚାର)- ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ -୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆୟୁର୍ବେଦ ହେଉଛି, ସାରା ବିଶ୍ୱକୁ ଭାରତର ଏକ ଅମୂଲ୍ୟ ଅବଦାନ । ଏହା କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆମର ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣକୁ ଉପସ୍ଥାପିତ କରିବା । ବର୍ତମାନ ପ୍ରାୟ ସମସ୍ତେ ଆଧୁନିକ ଚିକିତ୍ସା ପଦ୍ଧତି ଗ୍ରହଣ କରୁଥିବା ବେଳେ, ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ବ୍ୟୟସାପେକ୍ଷ ଚିକିତ୍ସା ପ୍ରଣାଳୀ ଲୋକଙ୍କୁ ବିକଳ୍ପ ଚିକିତ୍ସା ପଦ୍ଧତି ସଂପର୍କରେ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ଆୟୁର୍ବେଦ ଓ ଯୋଗ ଆମକୁ ଏକ ସୁସ୍ଥ ଜୀବନଯାପନ ପାଇଁ ମାର୍ଗଦର୍ଶନ କରିଥାଏ ।

ରାଜ୍ୟରେ ଆୟୁର୍ବେଦ ଚିକିତ୍ସା ଓ ସରକାରଙ୍କ ଆଭିମୁଖ୍ୟ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ୩ ଟି ସରକାରୀ ଆୟୁର୍ବେଦିକ କଲେଜ, ୪ଟି ସରକାରୀ ହୋମିଓପାଥିକ କଲେଜ, ୫ଟି ସରକାରୀ ଆୟୁର୍ବେଦିକ ଓ ୪ଟି ସରକାରୀ ହୋମିଓପାଥିକ ହସ୍ପିଟାଲ ଅଛି । ଯେଉଁଠି ନୂତନ ପିଢିର ଡାକ୍ତରମାନେ ତିଆରି ହେବା ସହିତ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ରୋଗୀ ପ୍ରାକୃତିକ ଭାବରେ ଚିକିତ୍ସିିତ ହେଉଛନ୍ତି । ଏହା ବ୍ୟତୀତ ବର୍ତମାନ ୧ ହଜାର ୧୯୧ ଟି ଆୟୁଷ ଡିସ୍ପେନସାରୀ ଚାଲିଛି ଯାହା ମଧ୍ୟରୁ ୬୨୦ଟି ଆୟୁର୍ବେଦିକ, ୫୬୨ଟି ହୋମିଓପାଥିକ ଓ ୯ଟି ୟୁନାନି ଡିସ୍ପେନସାରୀ ଅଛି ।

ଏହି ସମସ୍ତ ଚିକିତ୍ସାକେନ୍ଦ୍ର ଗ୍ରାମ ଓ ଅନ୍ୟ ଅବହେଳିତ ଅଂଚଳରେ ଲୋକଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି । ନ୍ୟାସନାଲ ଆୟୁଷ ମିଶନ ଅଧୀନରେ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ୩ଟି ଇଂଟିଗ୍ରେଟେଡ୍ ଆୟୁଷ ହସ୍ପିଟାଲ ନିର୍ମାଣ କରାଯାଉଛି । ଆଗାମୀ ଦିନରେ ଏହା ଜରିଆରେ ଅଧିକ ଲୋକଙ୍କୁ ଉଚ୍ଚମାନର ସେବା ଯୋଗାଇଦିଆଯିବ । ଏଥିସହିତ ଚଳିତ ବର୍ଷ ଉଭୟ ରାଜ୍ୟସରକାର ଓ ଭାରତ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ଠାରେ ଏକ ନୂତନ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତି ନିଆଯାଇଛି ।

ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ବର୍ତମାନ କେନ୍ଦ୍ରାପଡା ଜିଲାମୁଖ୍ୟ ଚିକିତ୍ସାଳୟରେ ଆୟୁଷ ଅଧୀନରେ ଏକ ପଂଚକର୍ମ ୟୁନିଟ୍ କାର୍ଯ୍ୟରତ ଅଛି । ବରଗଡ଼ ଓ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଠାରେ ଦୁଇଟି ୟୁନିଟ୍ ନିର୍ମାଣ କରାଯାଉଛି । ଅଧିକ ସ୍ୱାସ୍ଥ୍ୟସୁବିଧା ପ୍ରଦାନ ପାଇଁ ଚଳିତବର୍ଷ ଆଉ ୮ଟି ନୂତନ ପଂଚକର୍ମ କେନ୍ଦ୍ର, ବିଭିନ୍ନ ଜିଲା ଆୟୁର୍ବେଦିକ ମୁଖ୍ୟ କାର୍ଯ୍ୟାଳୟରେ ନିର୍ମାଣ କରାଯିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେ ଯେ, ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ଚଳିତ ବର୍ଷ ଅଦ୍ୟାବଧି ପ୍ରାୟ ୨ କୋଟି ୩୦ ଲକ୍ଷରୁ ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *