‘ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ’ର ଶୁଭାରମ୍ଭ

ଭୁବନେଶ୍ୱର,୧୭/୦୯/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧାର୍ ଠାରେ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ କରିଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଉପରେ ଫୋକସ ହୋଇଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଅନୁଷ୍ଠିତ ହେଉଛି ।

ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଓ ନେତୃମଣ୍ଡଳୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡିହୋଇଥିଲେ । କାର୍ଯ୍ୟକ୍ରମରେ ଆୟୋଜିତ ହେଲଥ୍ ସ୍କ୍ରିନିଂ ଷ୍ଟଲ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ବୁଲି ଦେଖିଥିଲେ । କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଶୁଭଙ୍କର ଦିନ । ଗତ ବର୍ଷ ଏହି ଦିବସରେ ମୋଦିଜୀ ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଆର୍ଥିକ ସଶକ୍ତିକରଣ ପର୍ଯ୍ୟନ୍ତ ନାରୀ ଜୀବନର ପ୍ରତ୍ୟେକ ପର୍ଯ୍ୟାୟ(ଫେଜ୍)ରେ ମୋଦିଜୀଙ୍କ ଯୋଜନା ସେମାନଙ୍କୁ ସହଯୋଗର ହାତ ବଢାଇଛି ।


ଉଜ୍ଜ୍ୱଳା ଯୋଜନା, କିଶୋରୀ ଶକ୍ତି ଯୋଜନା, ନୟୀ ରୋସ୍ନୀ ଯୋଜନା, ବେଟି ବଚାଓ ବେଟି ପଢାଓ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ପରି ଅନେକ ଯୋଜନା ମହିଳାଙ୍କ ଜୀବନରେ ବ୍ୟାପକ ପରିବର୍ତନ ଆଣିଛି । ସେ ପୁଣି କହିଥିଲେ, ଏହି ଅଭିଯାନରେ ମହିଳାଙ୍କ ଉଚ୍ଚରକ୍ତ ଚାପ, ମଧୁମେହ, କର୍କଟ, ରକ୍ତ ହୀନତା, ଯକ୍ଷ୍ମା, ସିକିଲ ସେଲ୍ ଆଦି ରୋଗ ସହ ମାତୃ ସ୍ୱାସ୍ଥ୍ୟ ଓ କିଶୋରୀ ସୁସ୍ଥତା ସମ୍ବନ୍ଧିତ ରୋଗଗୁଡିକ ଚିହ୍ନଟ କରିବା ପାଇଁ ସ୍କ୍ରିନିଂ କରାଯିବ ଏବଂ ଚିକିତ୍ସା ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ ।

Leave a Reply

Your email address will not be published. Required fields are marked *