ଡିଜିଟାଲ କୃଷି ସର୍ବେକ୍ଷଣ କାର୍ଯ୍ୟକୁ ଶତ ପ୍ରତିଶତ ନିର୍ଭୁଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର,୧୨/୦୯/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟରେ ଚାଲୁ ରହିଥିବା ଡିଜିଟାଲ କୃଷି ସର୍ବେକ୍ଷଣ-୨୦୨୫ କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମୀକ୍ଷା କରିଥିଲେ । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦେଶକ ଶ୍ରୀ ଶୁଭମ ସକ୍ସେନା, କୃଷି ବିଭାଗର ଅନ୍ୟ ପଦାଧିକାରୀ ଏବଂ ଓକାକ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ଚଳିତ ମାସ ସେପ୍ଟେମ୍ୱର ୧୦ ତାରିଖ ସୁଦ୍ଧା ଡିଜିଟାଲ କ୍ରପ୍ ସର୍ଭେ କାର୍ଯ୍ୟ ଅଗ୍ରଗତି ତଥ୍ୟରୁ ଜଣାଯାଇଛି ଯେ, ରାଜ୍ୟର ୩୦ ଟି ଜିଲାର ମୋଟ ଚିହ୍ନଟ ୨ କୋଟି ୯୪ ଲକ୍ଷ ୭୨ ହଜାର ୩୭୪ ସଂଖ୍ୟକ ପ୍ଲଟ ମଧ୍ୟରୁ ମୋଟ ୨ କୋଟି ୪୯ ଲକ୍ଷ ୮୪ ହଜାର ୫୪ ଟି ପ୍ଲଟ ସର୍ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଥିଲା, ଯାହାକି ମୋଟ ପ୍ଲଟ ସଂଖ୍ୟାର ୮୫ ପ୍ରତିଶତ । ଏଥିପାଇଁ ୨୮ ହଜାର ୮୬୭ ଜଣ ସର୍ଭେୟରଙ୍କୁ ନିୟୋଜିତ କରାଯାଇ ଅଦ୍ୟାବଧି ୧ କୋଟି ୫୪ ଲକ୍ଷ ୮୦ ହଜାର ୬୭୫ ଟି ପ୍ଲଟ ସର୍ବେକ୍ଷଣ କରିସାରିଛନ୍ତି । ଯାହାକି ୫୨.୫୩ % ଏବଂ ସେଥିରୁ ୪୯.୩୦ % ସର୍ବେକ୍ଷଣ ଅନୁମୋଦନ କରାଯାଇଛି ।

ଅନୁମୋଦନ କରାଯାଇନଥିବା ଡିଜିଟାଲ ସର୍ବେକ୍ଷଣ ମଧ୍ୟରୁ ଜଣାଯାଇଛି ଯେ, ସେଥିରେ ସର୍ବେକ୍ଷଣରେ କେତେକ ଅସାମଞ୍ଜସ୍ୟ ପରିଲଖିତ ହୋଇଛି । ଚାଷ ଅନୁସାରେ ଜମିର ଠିକ୍ ଭାବରେ ଫଟୋ ନିଆଯାଇନଥିବା, ଫସଲ ସମୟରେ ଫଟୋ ନିଆନଯାଇ ଫସଲ ପୂର୍ବରୁ ଫଟୋ ନିଆଯାଇଥିବା, ଗୋଟିଏ ପ୍ଲଟ ରୁ ଫଟୋ ନିଆଯାଇ ଅନ୍ୟ ପ୍ଳଟ ତଥ୍ୟରେ ଫଟୋ ଅପଲୋଡ କରାଯାଇଥିବା, ଏକା ସର୍ବେକ୍ଷଣକାରୀ ଗୋଟିଏ ପ୍ରକାର ଫଟୋକୁ ଏକାଧିକ କେତେକ ପ୍ଲଟ ପାଇଁ ବ୍ୟବହାର କରିଥିବା, ପଡିଆ ଭୂମି ଯାଗାରେ ଧାନ ଚାଷ ହୋଇଥିବା ଦର୍ଶାଇଥିବା ଭଳି ସର୍ବେକ୍ଷଣରେ ତୃଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ଏହି ତ୍ରୁଟିକୁ ଗୁରୁତର ସହିତ ନେଇ ଏହାକୁ ସୁଧାରିବା ସହ ଏଭଳି ତ୍ରୁଟି କରିଥିବା ସର୍ଭେୟର, ସୁପରଭାଇଜର ତଥା ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ୱର ୩୦ ତାରିଖ ସୁଦ୍ଧା ସର୍ବେକ୍ଷଣ କାର୍ଯ୍ୟ ସାରିବା ଏବଂ ସୁପଭାଇଜରମାନଙ୍କୁ ଶତ ପ୍ରତିଶତ ସର୍ବେକ୍ଷଣ ତଦାରଖ କରିବାକୁ ନିର୍ଦେଶ ଦିଆଯାଇଛି ।

ବ୍ଲକ ସ୍ତରୀୟ, ଜିଲାସ୍ତରୀୟ ଟିମକୁ ଦିଆଯାଇଥିବା ନିର୍ଦେଶନାମା ଅନୁସାରେ ସର୍ବେକ୍ଷଣ ଯାଂଚ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ଯଦି କୌଣସି ସ୍ଥଳରେ ସର୍ବେକ୍ଷଣରେ ତଥ୍ୟରେ ମିଥ୍ୟା ବା ଠକେଇ କରାଯାଇଥିବା ଜଣାପଡେ, ସେହି ସର୍ଭେୟରମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିବ ନାହିଁ ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଥିବା କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଜଣାଇଛନ୍ତି । ଆହୁରି ମଧ୍ୟ ଯଦି ତ୍ରୁଟି କରିଥିବା କୌଣସି ସର୍ଭେୟରଙ୍କୁ ସର୍ଭେକ୍ଷଣ ବାବଦରେ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡେ, ତେବେ ସଂପୃକ୍ତ ସୁପରଭାଇଜର ଓ ଅନ୍ୟ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ବିଭାଗ ସଚିବ ପ୍ରକାଶ କରିଛନ୍ତି । କୃଷି ବିଭାଗ ନିର୍ଦେଶାଳୟ ସ୍ତରରେ ଗୁଣାତ୍ମକ ତଥ୍ୟ (ଡାଟା) ବିଶ୍ଳେଷଣ କରାଯାଉଛି ଏବଂ ଯଦି ଅନୁମୋଦିତ ସର୍ଭେକ୍ଷଣରେ କୌଣସି ଠକେଇ ପୂର୍ଣ୍ଣ ତଥ୍ୟ ଚିହ୍ନଟ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ମଧ୍ୟ ସୂଚନା ଦେଇଛନ୍ତି ।

ଡିଜିଟାଲ କୃଷି ସର୍ବେକ୍ଷଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ଜିଲାର ଜିଲାପାଳଙ୍କ ସହିତ ଆଲୋଚନା ପୂର୍ବକ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ ଓ ନିର୍ଦେଶ ଦେଇଥିଲେ । ବେନିୟମ ସର୍ବେକ୍ଷଣ କରିଥିବା ସର୍ବେକ୍ଷଣକାରୀ ଏବଂ ସୁପରଭାଇଜରଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦେଶ ଦେବା ସହ ଜିଲାପାଳମାନଙ୍କୁ ନିୟମିତ ସମୀକ୍ଷା ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ମଧ୍ୟ କହିଛନ୍ତି ଯେ, ଡିଜିଟାଲ କୃଷି ସର୍ବେକ୍ଷଣ କୃଷକମାନଙ୍କ ସଂପର୍କରେ ସଠିକ୍ ଗ୍ରହଣ ଓ ତଥ୍ୟ ଆଧାରରେ ସେମାନଙ୍କୁ ସହାୟତା ପ୍ରଦାନରେ ସହାୟକ ହୋଇଥାଏ, ଯାହା ତାଙ୍କର ଫସଲ ବୀମା ଓ ଅନ୍ୟାନ୍ୟ ସୁବିଧାକୁ ନିଶ୍ଚିତ କରିଥାଏ ।

ଏହି କାର୍ଯ୍ୟ ଜମି ସଂପଦର ସଠିକ୍ ବ୍ୟବହାରକୁ ସୁନିଶ୍ଚିତ କରିବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଓ ସାମାଜିକ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏଣୁ ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ସର୍ଭେୟର, ସୁପରଭାଇଜର ଏବଂ ବିଭିନ୍ନ ସ୍ତରରେ ଥିବା ତଦାରଖ ଅଧିକାରୀ ସମସ୍ତେ ସହଯୋଗ କରି ଡିଜିଟାଲ କୃଷି ସର୍ବେକ୍ଷଣ କାର୍ଯ୍ୟକୁ ଶତପ୍ରତିଶତ ନିର୍ଭୁଲ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *