ରାଉରକେଲା,୧୩/୦୧/୨୦୨୪ (ଓଡ଼ିଶା ସମାଚାର)- ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ଠାରେ ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା, ଉପାଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତିଙ୍କ ଆବାହକତ୍ଵ ଓ ଶିକ୍ଷୟିତ୍ରୀ ନମ୍ରତା ମଲ୍ଲିକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୬ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ ରାୟ ମୁଖ୍ୟ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସୂଚନା ଯୋଗ୍ୟ ଯେ ଏହି ପ୍ରଦର୍ଶନୀରେ ୧୫୦ଟି ବିଜ୍ଞାନ ପ୍ରକଳ୍ପ ଓ ୩୦୦ରୁ ଉର୍ଦ୍ଧ୍ବ ଚିତ୍ରାଙ୍କନ ତଥା ଚିତ୍ରଶିଳ୍ପ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଏଭଳି ପ୍ରଦର୍ଶନୀ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଗୁଣର ବିକାଶ ହେବା
ସହ ସେମାନଙ୍କ ସୃଜନଶୀଳତା ଦେଶ ବିକାଶରେ ସହାୟକ ହେବ। ଏଥିପାଇଁ ଛାତ୍ର ଛାତ୍ରୀ ମାନେ ଅଭ୍ୟାସ, ମନୋନିବେଶ, ଏକାଗ୍ରତା ଓ ସମୟାନୁବର୍ତ୍ତିତା କୁ ଗୁରୁତ୍ବ ଦେବାକୁ ତଥା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଭାଗିତା କୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ପ୍ରଦର୍ଶନୀରେ ବିଜ୍ଞାନ ପ୍ରକଳ୍ପ ର ବିଚାରକ ଭାବେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଜନୀ ତିରୁ ଓ କଲ୍ୟାଣୀ ପଣ୍ଡା ତଥା ଚିତ୍ରକଳା ଓ ଚିତ୍ରାଙ୍କନ ଗୁଡ଼ିକୁ ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା ବିଚାରକ ଭାବେ ମୂଲ୍ୟାୟନ କରିଥିଲେ। ଏହି ଅବସରରେ ଅତିଥି ମାନେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଆନ୍ତଃ ବିଦ୍ୟାଳୟ ବିଜ୍ଞାନ, ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରଦର୍ଶନୀ
