ଜାତୀୟ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୩୧/୦୮/୨୦୨୫(ଓଡ଼ିଶା ସମାଚାର)- ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରବିବାର ଜିଲା ପ୍ରଶାସନ(କ୍ରୀଡା ବିଭାଗ) ପକ୍ଷରୁ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୁଆ ବସଷ୍ଟାଣ୍ଡରୁ ଏହି ସାଇକେଲ ଶୋଭାଯାତ୍ରା ବାହାରି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସମାପ୍ତ ହୋଇଥିଲା ।

ଜିଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସାଇକେଲ ସଚେତନତା ଶୋଭାଯାତ୍ରାର ଶୁଭାରମ୍ବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକ, କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଜିଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାଲିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ୟୁଥ ଆଥଲେଟିକ ଏକାଡେମୀର କ୍ରୀଡ଼ାବିତଙ୍କ ସମେତ ପ୍ରାୟ ୨ ଶହ ଛାତ୍ରଛାତ୍ରୀ ସାମିଲ ଥିଲେ । ରାଲିରେ ନିଜେ ଜିଲାପାଳ ସାଇକେଲ ଚଳାଇ କଲେଜ ପର୍ଯ୍ୟନ୍ତ ଯାଇଥିଲେ । ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ସାଇକେଲ ଚଳାଇବା ଦ୍ୱାରା ନିଜ ଶରୀର ଫିଟ ରହିବା ସହିତ ମାନସିକ ସ୍ଥିତି ଭଲ ରହିଥାଏ । ସେଥିପାଇଁ ସମସ୍ତେ ସାଇକେଲ ଚଳାଇବା ଉଚିତ । ଏହା ଛଡା ସାଂସଦ ଖେଳ ମହୋତ୍ସବ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବାରୁ, ସମସ୍ତେ ଏହି ମହୋତ୍ସବରେ ଅଧିକ ମାତ୍ରାରେ ସାମିଲ ହୋଇ ପଞ୍ଜିକରଣ କରିବାପାଇଁ ଜିଲାପାଳ ଶ୍ରୀ ଆୟାର ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *