ସମ୍ମିଳନୀକୁ ଉଦ୍ଘାଟନ୍ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା
ଭୁବନେଶ୍ୱର,୨୯/୦୮/୨୦୨୫ (ଓଡ଼ିଶା ସମାଚାର)- ଆଜି ଓଡ଼ିଶା ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେଉଛି । ୧୯୯୪ ପରେ ପ୍ରଥମ ଥର ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେଉଛି।

ଲୋକସେବା ଭବନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଦିଆଗଲା ଗାର୍ଡ ଅଫ ଅନର୍। ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ୍ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ ଓରାମ, ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଡ. ଫଗନ ସିଂହ କୁଲସ୍ତେ ସମ୍ମିଳନୀରେ ଉପସ୍ଥିତ ଅଛନ୍ତି। ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ବିଧାନସଭା ସଦସ୍ୟ ଓ ସାଂସଦମାନେ ମଧ୍ୟ ଯୋଗ ଦେଇଛନ୍ତି।
ସଂସଦ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଏହି ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଦେଶର ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ସଂପର୍କରେ ମାନସ ମନ୍ଥନ କରିବେ ସାଂସଦ ଏବଂ ବିଧାୟକ । ଭାବର ଆଦାନ ପ୍ରଦାନ ସହ ଦେଶର ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ଆଲୋଚନା କରିବା ସହ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ସଶକ୍ତୀକରଣର ସଂସଦୀୟ ଓ ବିଧାନସଭା କମିଟିର ଭୂମିକା’ ଶୀର୍ଷକ ଆଲୋଚନା ହେବ ।
ସାମ୍ବିଧାନିକ ସୁରକ୍ଷାକୁ ସୁଦୃଢ଼ କରିବା, ସାମାଜିକ-ଆର୍ଥିକ ବିକାଶକୁ ବୃଦ୍ଧି କରିବା, ଅନୁସୂଚିତ ଜାତି ଏବଂ ଜନଜାତିକୁ ସଶକ୍ତ କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ସାକାର କରିବାର ଦୃଷ୍ଟିକୋଣ ସହ ସଂସଦୀୟ ଏବଂ ରାଜ୍ୟ ବିଧାନସଭା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଚର୍ଚ୍ଚା ହେବ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଏହି ଧରଣର ଜାତୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି ।
ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟଙ୍କ ଚାଲିଚଳଣି, ପୋଷାକ ପରିଧାନ, କାର୍ଯ୍ୟକୁଶଳତା, କାରିଗରୀ ବିଦ୍ୟା, ହସ୍ତଶିଳ୍ପ ସଂପର୍କରେ ଅବଗତ କରାଇବା ପାଇଁ ଏକ ଦୁଇଦିନିଆ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଉଛି । ରାଜ୍ୟର ଐତିହ୍ୟ, ସଂସ୍କୃତି, ନୃତ୍ୟ-ସଂଗୀତ, ଚାରୁକଳା, କାରୁକଳା ସହ ପ୍ରତିନିଧିମାନଙ୍କୁ ପରିଚିତ କରାଇବାକୁ ବ୍ୟବସ୍ଥା କରାଯାଇଛି । ଏହି ସମ୍ମିଳନୀରେ ଭିନ୍ନ ଭିନ୍ନ ରାଜ୍ୟରେ ରହିଥିବା ସଂସଦୀୟ ପରମ୍ପରା, କଲ୍ୟାଣମୂଳକ କାର୍ଯ୍ୟ ସଂପର୍କିତ ଭାବର ଆଦାନପ୍ରଦାନ ହେବ । ୩୦ ତାରିଖ ଉଦ୍ଯାପନୀ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ସମ୍ମିଳନୀ ଓଡ଼ିଶା ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଆଲୋଚନା ସହ ଅନ୍ୟ ସମସ୍ତ ରାଜ୍ୟକୁ ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ ଚାଲିଚଳଣି, ପୋଷାକ ପରିଧାନ, କାର୍ଯ୍ୟକୁଶଳତା, କାରିଗରି ବିଦ୍ୟା, ହସ୍ତଶିଳ୍ପ ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ନୃତ୍ୟ-ସଂଗୀତ, ଚାରୁକଳା, କାରୁକଳା ସହିତ ଆଗନ୍ତୁକମାନଙ୍କୁ ପରିଚିତ କରାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅତିଥିମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲାଇ ଦେଖାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି।
