ଭୁବନେଶ୍ୱର,୦୮/୦୮/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟରେ ଜୈବ- ପ୍ରଯୁକ୍ତି ଓ ଜୈବ-ସମ୍ବଳକୁ ଆଧାର କରି ଜୈବ-ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଜୈବ- ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁଖ ଯୋଗଦାନ କରିବାର ବ୍ୟାପକ ସମ୍ଭାବନା ରହିଛି ।
ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଆଇଆଇଏମ୍, ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର ଗୁରୁବାର ଖାରବେଳ ଭବନରେ ସ୍ୱାକ୍ଷରିତ ହୋଇଛି । ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ଙ୍କ ଉପସ୍ଥିତିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ପୂଜା ମିଶ୍ର ଏବଂ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଧେଶକ ପ୍ରଫେସର ମହାଦେବ ଜୟସ୍ୱାଲ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ବୁଝାମଣାପତ୍ର ଅନୁଯାୟୀ ରାଜ୍ୟରେ ଜୈବ- ଅର୍ଥନୀତି ସମ୍ଭାବନା ଥିବା କ୍ଷେତ୍ରଗୁଡ଼ିକୁ ବିଚାରକୁ ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଆଇଆଇଏମ୍, ସମ୍ବଲପୁର ପକ୍ଷରୁ ପ୍ରଦାନ କରାଯିବ । ଜୈବ-ଅର୍ଥନୀତି ରିପୋର୍ଟ ବିକଶିତ କରିବା, ଏ କ୍ଷେତ୍ରରେ ଥିବା ପ୍ରମୁଖ ଆହ୍ୱାନ ଓ ବିକାଶ ସୁଯୋଗର ମୂଲ୍ୟାୟନ କରି ଏକ ତଥ୍ୟଭିତିିକ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ରିପୋର୍ଟ ଭବିଷ୍ୟତର ଜୈବ ଉଦ୍ୟୋଗ, ବିଶେଷ କରି ଜୈବ-ଅର୍ଥନୀତି ଏବଂ ସାଧାରଣ ଭାବେ ଆର୍ଥିକ ଅଭିବୃଦ୍ଧି ଦିଗରେ ଏକ ମାନଦଣ୍ଡ ଭାବେ ଉଭା ହେବ ବୋଲି ଉଭୟ ପକ୍ଷ ଆଶାବ୍ୟକ୍ତ କରିଛନ୍ତି ।
