ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ

ଓଡ଼ିଆ ଶ୍ରମିକମାନେ ଆଧୁନିକ ଯୁଗର ବିଶ୍ୱକର୍ମା-ବିଧାୟକ ବାବୁ ସିଂ

 ଭୁବନେଶ୍ୱର,୧୧/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଶ୍ରମିକମାନେ ସାରା ପୃଥିବୀରେ ସୁନାମ ଅର୍ଜନ କରିଛନ୍ତି । ବିଶେଷକରି ଦେବାଳୟ ନିର୍ମାଣ କ୍ଷେତ୍ରରେ ସେମାନଙ୍କର ଭୂମିକା ବାସ୍ତବିକ୍‌ ମହନୀୟ । ସେମାନେ ବାସ୍ତବିକ ଆଧୁନିକ ଯୁଗର ବିଶ୍ୱକର୍ମା ବୋଲି ଭୁବନେଶ୍ୱର ଏକାମ୍ରର ବିଧାୟକ ଶ୍ରୀ ବାବୁ ସିଂ ମତବ୍ୟକ୍ତ କରିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ସିଂ କହିଲେ ଯେ, ଆମ ସରକାର ଲୋକଙ୍କ ସରକାର । ୯ ମାସ ତଳେ ବିପୁଳ ଜନାଦେଶ ପାଇ ଆମ ସରକାର କ୍ଷମତାସୀନ ହୋଇଥିଲା । ଜନକଲ୍ୟାଣ ପାଇଁ ପ୍ରତିବଦ୍ଧ ଆମ ସରକାର ଡବଲ ଇଞ୍ଜିନ୍‌ ସରକାର । କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ପାଇଁ ବ୍ୟାପକ ଉଦ୍ୟମ ଜାରୀ ରହିଥିବାବେଳେ ରାଜ୍ୟରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗୋଟିଏ ପରେ ଗୋଟିଏ ଆଖିଦୃଶିଆ ଯୋଜନା ରାଜ୍ୟବାସୀଙ୍କ ପାଇଁ ପ୍ରଣୟନ କରୁଛନ୍ତି । ପରିବାରରେ ସାଧାରଣତଃ ପୁରୁଷମାନେ ରୋଜଗାର କରନ୍ତି । ଆମ ସରକାରଙ୍କ ସଂକଳ୍ପ ମା’ମାନେ ମଧ୍ୟ ରୋଜଗାରକ୍ଷମ ହୁଅନ୍ତୁ । ସେଥିପାଇଁ ‘ସୁଭଦ୍ରା’ ଯୋଜନାରେ ନାରୀମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ କରାଯାଉଛି । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଶ୍ରମଜୀବୀମାନଙ୍କ ବିପୁଳ କଲ୍ୟାଣସାଧନ ନିମିତ୍ତ ଅଭିପ୍ରେତ । ଶ୍ରମିକ ବହୁଳ ଆମ ରାଜ୍ୟରେ ୧୮ ବର୍ଷରୁ ୬୦ ବର୍ଷ ବୟସ୍କ ନିର୍ମାଣ ଶ୍ରମିକ ପଞ୍ଜିକରଣ କରିବା ସହିତ ଶିକ୍ଷା ସହାୟତା, ନିର୍ମାଣ କୁସୁମ, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ଦୁର୍ଘଟଣାଜନିତ ଅକ୍ଷମତା ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ଓ ମୃତ୍ୟୁ କାଳୀନ ସହାୟତା ପାଇ ପାରିବେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପ୍ରତିବର୍ଷ ନବୀକରଣ ପାଇଁ ମାତ୍ର ୫୦ ଟଙ୍କା ଦେବାକୁ ପଡ଼ିବ । ତେଣୁ ନିୟମିତ ନବୀକରଣ ମାଧ୍ୟମରେ ନିର୍ମାଣ ଶ୍ରମିକ ଓ ପରିବାରବର୍ଗ ବିଭିନ୍ନ ସରକାରୀ ସହାୟତା ପାଇ ପାରିବେ । ଶ୍ରମ ବିଭାଗ ପକ୍ଷରୁ ଏ ସମ୍ବନ୍ଧୀୟ ଅଧିକ ସଚେତନତାର ପ୍ରଚାର ପ୍ରସାର ଜରୁରୀ । ଶ୍ରମ ଆଇନରେ ଥିବା ବିଭିନ୍ନ ପ୍ରାବଧାନ ତଥା କଲ୍ୟାଣକାରୀ ଯୋଜନା ଏବଂ ସହାୟତା ବାବଦରେ ସାଧାରଣ ଶ୍ରମିକବର୍ଗଙ୍କୁ ଅବଗତ କରାଇବା ସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ସିଂ ଉପସ୍ଥିତ ଶ୍ରମ ବିଭାଗର ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏହି ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଶ୍ରମିକମାନଙ୍କ ସହାୟତା ପାଇଁ ନିଃଶୁଳ୍କ ଟେଲିଫୋନ୍‌ ନମ୍ବର ୧୮୦୦-୩୪୫୬୭୦୩ର ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଇଛି । ଏହି ସେବା ଅହୋରାତ୍ର ଉପଲବ୍ଧ ହେଉଛି । ଅନ୍‌ଲାଇନ୍‌ ପୋର୍ଟାଲ www.nirmanshramik.odisha.gov.in ରେ ନିର୍ମାଣ ଶ୍ରମିକମାନେ ପଞ୍ଜୀକରଣ ଓ ନବୀକରଣ କରିବା ସହିତ ବିଭିନ୍ନ ସହାୟତା ପାଇଁ ଆବେଦନ କରିବାର ସୁବିଧା ଉପଲବ୍ଧ ହେଉଛି । ୧୮ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ଶ୍ରମିକମାନଙ୍କ କାର୍ଯ୍ୟସ୍ଥଳୀରେ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଏକକାଳୀନ ୬ ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ଏକକାଳୀନ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ନିକଟରେ ଖୋର୍ଦ୍ଧା ଜିଲ୍ଲାରେ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ କରାଯାଇ ବିଭାଗ ଦ୍ୱାରା ଉପଲବ୍ଧ କଲ୍ୟାଣମୂଳକ ଯୋଜନାର ସମସ୍ତ ତଥ୍ୟ ଓ ସହାୟତା ରାଶି ସମ୍ବନ୍ଧରେ ଶ୍ରମିକମାନଙ୍କୁ ଅବଗତ କରାଯାଉଛି । ଏହି ଅଭିଯାନ ଏକମାସ ଧରି ଚାଲିବ । ଏହାପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ “ଶ୍ରମ କାନ୍ଥ” ମାଧ୍ୟମରେ ଏହି ସଚେତନତା କାର୍ଯ୍ୟ ଚାଲିବ । ଆଜି ଖୋର୍ଦ୍ଧା ଜିଲ୍ଲାର ସମୁଦାୟ ୯୮୫ ଜଣ ଶ୍ରମଜୀବୀ ହିତାଧିକାରୀଙ୍କୁ ପ୍ରାୟ ୪ କୋଟି ୫୨ ଲକ୍ଷ ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ହୋଇଥିବା ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ପ୍ରାୟ ୮୦ କୋଟି ଟଙ୍କାର ସହାୟତା ରାଶି ବଣ୍ଟନ ସରିଲାଣି ବୋଲି ଶ୍ରମ ଆୟୁକ୍ତ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ ।

        ଡିଭିଜନାଲ ଶ୍ରମ ଆୟୁକ୍ତ ଶ୍ରୀ ଅଜୟ କୁମାର ପ୍ରଧାନ, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶ୍ରମ କମିଶନର ଶ୍ରୀ ଘାସିରାମ ଟୁଡୁ ଓ ଶ୍ରୀ ମଦନମୋହନ ପାଇକ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

        ଖୋର୍ଦ୍ଧା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରଭାକର ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ଜିଲ୍ଲାର ୨୧୫ ଜଣ ଶ୍ରମଜୀବୀଙ୍କୁ ପରିଚୟ ପତ୍ର ବଣ୍ଟନ, ୫୦୪ ଜଣଙ୍କୁ ୨ ହଜାର ଟଙ୍କାରୁ ୪୮ ହଜାର ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ସହାୟତା, ୮୮ ଜଣଙ୍କୁ ୫୦ ହଜାର ଟଙ୍କା ବିବାହ ସହାୟତା, ୪୮ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରସବକାଳୀନ ସହାୟତା, ୧୬୧ ଜଣଙ୍କୁ ମୃତ୍ୟୁଜନିତ ସହାୟତା, ୧୬୧ ଜଣଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା- ଏହିପରି ୯୬୨ ଜଣଙ୍କୁ ପ୍ରାୟ ୪ କୋଟି ୧୯ ଲକ୍ଷ ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶା ଅଣ-ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଜିଲ୍ଲାର ୧୧୩ ଜଣ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ର ବଣ୍ଟନ, ମୃତ୍ୟୁଜନିତ ସହାୟତା ରାଶି ବାବଦରେ ୩୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ଦେବଶ୍ରୀ ବେହେରା ଧନ୍ୟବାଦ ଦେଇଥିଲେ ।

 -0-

ମାନସ ରଞ୍ଜନ ଖୁଣ୍ଟିଆ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *