ଭୁବନେଶ୍ୱର,୦୪/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ବେଳେ ଝାଡଖଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ, ଜଳକାରେ ବନ୍ୟା ଆସିଥିଲା। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାରେ ବନ୍ୟା ଆସିବା ସହ ବାଲେଶ୍ବର ଅଧିକ ପ୍ରଭାବିତ ହୋଇଛି। ଉତ୍ତର ଓଡ଼ିଶାରେ ବର୍ଷା କମିଥିବାରୁ ନଦୀରେ ଜଳସ୍ତର କମିଛି। କିନ୍ତୁ ବନ୍ୟା ଦୁର୍ଦଶା ଲାଗି ରହିଛି।
ଗତ କାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱରର ବିଭିନ୍ନ ବନ୍ୟାଜଳ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିଲେ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ବନ୍ୟା ଛାଡିବ। ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ରହିଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ସୁବର୍ଣ୍ଣରେଖାର ରାଜଘାଟ, ବୈତରଣୀର ଆଖୁଆପଦା, ଜଳକାର ମଥାନୀଠାରେ, ବୁଢ଼ାବଳଙ୍ଗରେ ଏନଏଚ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଥିଲା। ଆଗକୁ ଝାଡଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସୁବର୍ଣ୍ଣରେଖା ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି।
ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ଛତିଶଗଡ଼ ସରକାର କଲ୍ମା ବ୍ୟାରେଜ୍ର ୬୬ଟି ଗେଟ୍ ମଧ୍ୟରୁ ୪୬ଟି ଗେଟ୍ ଖୋଲି ଦେଇଛନ୍ତି। ଗତକାଲି ପର୍ଯ୍ୟନ୍ତ ୧୦ଟି ଗେଟ୍ ଖୋଲା ରହିଥିଲା। ଗୁରୁବାର ଆହୁରି ୩୬ଟି ଗେଟ୍ ଖୋଲାଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି। ଗୁରୁବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୨୫ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରକୁ ଏହି ସମୟରେ ୧,୦୧,୩୪୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ମାତ୍ର ୩୪,୨୫୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି।
ଜଳଭଣ୍ଡାର ଅଚଳ କ୍ଷମତା (ଡେଡ୍ ଷ୍ଟୋରେଜ) ଜଳସ୍ତର ୫୯୦ ଫୁଟ ହୋଇଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ। ବନ୍ୟା ନିୟନ୍ତ୍ରଣ ତଥା ବନ୍ଧର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ସେପଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖ ସୁଦ୍ଧା ଜଳସ୍ତର ଏହାର ସର୍ବୋଚ୍ଚ ସ୍ତରରେ ରଖାଯାଇଥାଏ। ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଆସନ୍ତା ରବିବାର ଦିନ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଆସନ୍ତା ରବିବାର ୬ ତାରିଖରେ ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ମୁଖ୍ୟବନ୍ଧ ବିଭାଗର ଭାରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ୬ ତାରିଖରେ (ରବିବାର) ଦିନ ୧୦ଟାରେ ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବ। ହୀରାକୁଦ ଜଲଭଣ୍ଡାର କର୍ତ୍ତୃପକ୍ଷ ଏଥିପାଇଁ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ନୟାଗଡ଼, କଟକ, ଜଗତସିଂହପୁର ସମେତ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ହୀରାକୁଦ ଜଲଭଣ୍ଡାରରୁ ଆବଶ୍ୟକତା ଅନୁସାରେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଳାଯିବ ।
ଗେଟ୍ ଖୋଲିବା ସମୟରେ ମହାନଦୀ ଓ ଏହାର ଶାଖାନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ତଳିଆ ଅଞ୍ଚଳରେ ନଦୀ ଭିତରକୁ କେହି ନଯିବାକୁ ବାରଣ କରାଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଯାଉଛି। ଗାଁ ଗାଁରେ ପ୍ରଚାର ଗାଡ଼ି ବୁଲି ଲୋକଙ୍କୁ ସଚେତନ କରୁଛି। ଯଦି କୌଣସି ଅଘଟଣ ଘଟେ ତାହେଲେ ଜଳଭଣ୍ଡାର କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।
