କେନ୍ଦ୍ରାପଡ଼ା,୦୩/୦୯/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦର ଥାନା ଅଧିନ କଂସାର ସାହସପୁର ନୋଡାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତିଲତା ମହାରଣାଙ୍କୁ ବିଦ୍ୟାଳୟ ଭିତରେ ପଶି ଆକ୍ରମଣ କରାଯିବା ଘଟଣାରେ ଅଭିଯୁକ୍ତ ରଞ୍ଜନ ମହାପାତ୍ରଙ୍କୁ ଗିରଫ କରାଯାଇଛି । କେନ୍ଦ୍ରାପଡା ସଦର ଥାନା ପୋଲିସ କାଙ୍କଦିଆ ଗ୍ରାମର ଅଭିଯୁକ୍ତ ରଞ୍ଜନ ମହାପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ରଞ୍ଜନକୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି ।
ଅଭିଯୋଗରୁ ପ୍ରକାଶ ଯେ ସଦର ଥାନା ଅଧିନ କଂସାର ସାହସପୁର ନୋଡାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତିଲତା ମହାରଣାଙ୍କୁ ବୁଧବାର ବିଦ୍ୟାଳୟ ଭିତରେ ପଶି ଆକ୍ରମଣ କରିବା ସହ ତାଙ୍କ କାର୍ଯ୍ୟାଳୟର ବେଂଚ, ଟେବୁଲକୁ ଅଭିଯୁକ୍ତ ରଞ୍ଜନ ଭଙ୍ଗାରୁଜା କରିଥିଲା ।
ସେହିପରି ଅଭିଯୁକ୍ତ ଜଣକ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଫିଙ୍ଗା ଫୋପଡା କରିଥିଲା । ଏହାସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହ ଜୀବନରୁ ମାରି ଦେବାକୁ ମରଣାସ୍ତ୍ର ଦେଖାଇ ଧମକ ମଧ୍ୟ ଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାରଣା ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ପରେ ଆଜି ଅଭିଯୁକ୍ତ ରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
