ବୈଜ୍ଞାନିକ ଦେବେନ୍ଦ୍ର ଦାସଙ୍କୁ ଗୋପବନ୍ଧୁ ଦାସ ସ୍ମାରକ ସମ୍ମାନ

କେନ୍ଦ୍ରାପଡ଼ା, ୨୩/୦୬/୨୦୨୫(ଓଡ଼ିଶା ସମାଚାର)- ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ବୈଜ୍ଞାନିକ ଡ. ଦେବେନ୍ଦ୍ର କୁମାର ଦାସଙ୍କୁ ‘ଦି ଓଡିଶା ସୋସାଇଟି ଅଫ ଆମେରିକାସ’ର ୫୫ତମ ବାର୍ଷିକ ଉତ୍‌ସବରେ “ଉତ୍‌କଳମଣି ଗୋପବନ୍ଧୁ ଦାସ ସ୍ମାରକ ସମ୍ମାନ” ପ୍ରଦାନ କରାଯାଇଛି । ଡ. ଦାସଙ୍କୁ ସମାଜସେବା କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଅନୁଷ୍ଠାନ ଏଭଳି ସମ୍ମାନରେ ସମ୍ମାନିତ କରିଛି । ଡ. ଦାସ କେନ୍ଦ୍ରାପଡା ସହରର ବଡହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେଳେ ଆମେରିକାରେ ଗତ ୫୦ବର୍ଷ ହେବ ରହୁଛନ୍ତି । କିନ୍ତୁ ସେ ନିଜ ଜନ୍ମମାଟି କେନ୍ଦ୍ରାପଡା ଜିଲାରେ ସମାଜସେବା କାର୍ଯ୍ୟ ଜାରି ରଖିଛନ୍ତି ।

ରୋଗରେ ପଡୁଥିବା ଗରୀବ ଓ ନଷ୍ପେସିତ ଲୋକମାନଙ୍କୁ ଏବଂ ଘରପୋଡି ବିପନ୍ନମାନଙ୍କୁ ସେ ଆର୍ôଥକ ସହଯୋଗ କରିବା ସହ ସେମାନଙ୍କୁ ଖାଦ୍ୟ ଏବଂ ବସ୍ତ୍ର ମଧ୍ୟ ପ୍ରତ୍ୟେକ ବର୍ଷ ପ୍ରଦାନ କରିଥାନ୍ତି । କେବଳ କେନ୍ଦ୍ରାପଡା ଜିଲା ନୁହେଁ ଓଡିଶାର ଜଗତସିଂହପୁର, କଟକ, ପୁରୀ, ମୟୁରଭଞ୍ଜ,କୋରାପୁଟ, ରାୟଗଡା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଭଳି ବିଭିନ୍ନ ଜିଲାର ଏଭଳି ଗରିବ ଲୋକ ଓ ପିଲାମାନଙ୍କୁ ସେ ସହାୟତାର ହାତ ବଢାଇଥାନ୍ତି ।

ଏଥିସହ ଗରିବ ଛାତ୍ରଛାତ୍ରୀମାନଙ୍କୁ ପାଠପଢିବା ପାଇଁ ମଧ୍ୟ ସେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ଏହିସବୁ ସମାଜସେବା ମୂଳକ କାର୍ଯ୍ୟ ନିମନ୍ତେ ଡ. ଦାସ ତାଙ୍କ ବାପା ଓ ମାଙ୍କ ନାମରେ ‘ବାଞ୍ଛାନିଧି ଦାସ ଓ ଶ୍ରୀମତୀଦେବୀ ଚାରିଟେବୁଲ ଟ୍ରଷ୍ଟ’ ନାମକ ଏକ ସଂସ୍ଥା ଗଠନ କରିଛନ୍ତି । ସେହି ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସମୟରେ ଏଭଳି କାର୍ଯ୍ୟ କରାଯାଇଥାଏ । ପ୍ରତିବର୍ଷ ଡ. ଦାସ ୨ମାସ ପାଇଁ ଜନ୍ମମାଟି କେନ୍ଦ୍ରାପଡାକୁ ଆସିଥାନ୍ତି ଓ ଏଠାରେ ସମସ୍ତ ସମାଜସେବା କାର୍ଯ୍ୟକୁ ଅତ୍ୟନ୍ତ ଦକ୍ଷତାର ସହିତ କରିବା ସହ ବିଭିନ୍ନ ଦୁର୍ଗମ ଅଂଚଳ ବୁଲି ଲୋକମାନଙ୍କୁ ସହାୟତାର ହାତ ବଢାଇଥାନ୍ତି । ତାଙ୍କର ଏହି ସେବାମୂଳକ କାର୍ଯ୍ୟ ପାଇଁ ତାଙ୍କୁ “ଦି ଓଡିଶା ସୋସାଇଟି ଅଫ ଆମେରିକାସ” ସମ୍ମାନିତ କରିଛି ।

Leave a Reply

Your email address will not be published. Required fields are marked *